ବଲାଙ୍ଗୀର: ବଲାଙ୍ଗୀର ସାଇବର୍ ପୁଲିସ୍କୁ ମିଳିଛି ଏକ ବଡ଼ ସଫଳତା। ଜାଲ୍ ‘ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ’ ମାଧ୍ୟମରେ ସାଇବର୍ ଠକେଇ ଚଳାଉଥିବା ଏକ ଆନ୍ତରରାଜ୍ୟ ରାକେଟ୍ର ପର୍ଦ୍ଦାଫାଶ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଗ୍ୟାଙ୍ଗ୍ ପ୍ରାୟ ୩୫ ଲକ୍ଷ ଟଙ୍କାର ସନ୍ଦିଗ୍ଧ ଆର୍ଥିକ କାରବାର କରିଥିବା ପୁଲିସ୍ ତଦନ୍ତରୁ ଜଣାପଡ଼ିଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ରାୟପୁରର ପ୍ରକାଶ ଶର୍ମା ଓ ସନିଶ, ଏବଂ ବଲାଙ୍ଗୀର ଲୋଇସିଂହା ଅଞ୍ଚଳର ପ୍ରଶାନ୍ କୁମାର ନାଗ ଓ ଯୁବରାଜ।
ପୁଲିସର ସୂଚନା ଅନୁଯାୟୀ, ଏହି ଅଭିଯୁକ୍ତମାନେ ରାୟପୁରରୁ ରହି ନେଟୱାର୍କ ଚଳାଉଥିଲେ। ସେମାନେ ବଲାଙ୍ଗୀରର ନିରୀହ ଗ୍ରାମବାସୀଙ୍କୁ କିଛି କମିଶନର ଲୋଭ ଦେଖାଇ ସେମାନଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଉଥିଲେ। ସାଇବର୍ ଅପରାଧରୁ ଆସୁଥିବା ଟଙ୍କାକୁ ଏହି ‘ମ୍ୟୁଲ୍ ଆକାଉଣ୍ଟ’ଗୁଡ଼ିକରେ ଜମା କରାଯାଉଥିଲା ଏବଂ ପରେ ସେଠାରୁ ଅନ୍ୟାନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଉଥିଲା।
ସାଇବର୍ ପୁଲିସ୍ ଚଢ଼ଉ କରି ୪ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ନାୟକ ଆଦିତ୍ୟ ଦୁବେ ଏବଂ ଅନ୍ୟ ୩ ଜଣ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ୍ ସର୍ଚ୍ଚ ଅପରେସନ୍ ଜାରି ରଖିଛି। ଅଭିଯୁକ୍ତଙ୍କ ନିକଟରୁ ୫ଟି ମୋବାଇଲ୍, ୨୨ଟି ଚେକ୍ ବୁକ୍, ୨୫ଟି ପାସବୁକ୍ ଏବଂ ୧୦ଟି ଏଟିଏମ୍/ଡେବିଟ୍ କାର୍ଡ ଜବତ କରାଯାଇଛି।
ବଲାଙ୍ଗୀର ଏସ୍ଡିପିଓ (SDPO) ସରୋଜ କୁମାର ଉପାଧ୍ୟାୟ କହିଛନ୍ତି ଯେ ଅଭିଯୁକ୍ତମାନେ ପୁଲିସ୍ ଚକ୍ଷୁରେ ଆଙ୍ଗୁଠି ଦେବା ପାଇଁ ଏବଂ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଚିତ୍ର ଉପାୟ ଆପଣାଉଥିଲେ।
ଅଭିଯୁକ୍ତମାନେ କଲ୍କି, ଅବତାର, ରାବଣ ଏବଂ ଜୋକର ଭଳି ଛଦ୍ମନାମ ବ୍ୟବହାର କରି ବିଜନେସ୍ ଗ୍ରୁପ୍ ଚଳାଉଥିଲେ। ଏଥିସହିତ ସାଧାରଣ ସିମ୍ କାର୍ଡ ପରିବର୍ତ୍ତେ ଭର୍ଚୁଆଲ୍ ସିମ୍ ମାଧ୍ୟମରେ ହ୍ୱାଟ୍ସଆପ୍ ବ୍ୟବହାର କରୁଥିବାରୁ ସେମାନଙ୍କୁ ଟ୍ରାକ୍ କରିବା କଷ୍ଟକର ହେଉଥିଲା ବୋଲି କହିଛନ୍ତି ଏସ୍ଡିପିଓ (SDPO) ସରୋଜ କୁମାର ଉପାଧ୍ୟାୟ।
ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ମୁଖ୍ୟ ରାକେଟ୍ମୁଖିଆ ଗିରଫ ହେବା ପରେ ଏହି ସାଇବର୍ ଠକେଇର ସମ୍ପୂର୍ଣ୍ଣ ଚେର ଏବଂ ମୋଟ ଠକେଇ ଅର୍ଥରାଶି ପରିମାଣ ପଦାକୁ ଆସିବ ବୋଲି ପୁଲିସ୍ ଆଶା ପ୍ରକାଶ କରିଛି।




