ତେହେରାନ/ୱାଶିଂଟନ: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ସାମରିକ ସଂଘର୍ଷ ଆହୁରି ତୀବ୍ର ହୋଇଛି। ଆମେରିକା ପକ୍ଷରୁ ଇରାନର ତେଲ ଟ୍ୟାଙ୍କରଗୁଡ଼ିକ ଉପରେ କରାଯାଇଥିବା ଆକ୍ରମଣର ଜବାବରେ ଇରାନର ‘ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ’ (IRGC) ଜୋର୍ଡାନସ୍ଥିତ ଏକ ଆମେରିକୀୟ ଏୟାରବେସ୍ ଉପରେ ଆକ୍ରମଣ କରିଥିବା ଦାବି କରିଛି।

IRGC ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ସେମାନଙ୍କର ଏରୋସ୍ପେସ୍ ବାହିନୀ ଜୋର୍ଡାନର ‘ଆଲ୍-ଆଜରାକ୍ ଏୟାରବେସ୍’ (Al-Azraq Air Base) ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଆମେରିକାର F-35, F-16 ଏବଂ F-15 ଫାଇଟର ଜେଟ୍‌ଗୁଡ଼ିକର ରକ୍ଷଣାବେକ୍ଷଣ, ପ୍ରସ୍ତୁତି ଏବଂ ମୋତୟନ ପାଇଁ ବ୍ୟବହୃତ ହ୍ୟାଙ୍ଗର ଓ ସେଲ୍ଟରକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଛି, ଯାହାଦ୍ୱାରା ଶତ୍ରୁପକ୍ଷର ବହୁତ କ୍ଷତି ହୋଇଛି।

ଅନ୍ୟପଟେ, ଜୋର୍ଡାନ ସେନା ପକ୍ଷରୁ ସୂଚନା ଦିଆଯାଇଛି ଯେ ସେମାନଙ୍କର ଏୟାର ଡିଫେନ୍ସ ସିଷ୍ଟମ୍ ଇରାନ ଦ୍ୱାରା ମାଡ଼ି ଆସୁଥିବା ୨୦ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମଧ୍ୟରୁ ୧୮ଟିକୁ ଆକାଶମାର୍ଗରେ ଧ୍ୱଂସ କରିଦେଇଛି। ବାକି ୨ଟି କ୍ଷେପଣାସ୍ତ୍ର ଜନଶୂନ୍ୟ ଅଞ୍ଚଳରେ ପଡ଼ିଥିବାରୁ କୌଣସି ଧନଜୀବନ କ୍ଷତି ହୋଇନାହିଁ।

ଇରାନର ୫ଟି ତେଲ ଟ୍ୟାଙ୍କରକୁ ଧ୍ୱଂସ କଲା ଆମେରିକା

ଏହି ସଂଘର୍ଷ ପୂର୍ବରୁ ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ (CENTCOM) ସୂଚନା ଦେଇଥିଲା ଯେ ଇରାନୀ ବାହିନୀ ଏକ ଆମେରିକୀୟ ଯୁଦ୍ଧପୋତ ଉପରେ ଦୁଇଥର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ଆମେରିକା ସେନା ଇରାନର ୫ଟି କ୍ରୁଡ୍ ଅଏଲ୍ ଟ୍ୟାଙ୍କରକୁ ଧ୍ୱଂସ କରିଦେଇଛି।

ଓମାନ ଗଲ୍ଫ ଏବଂ ଇରାନର ଗୁରୁତ୍ୱପୂର୍ଣ୍ଣ ତେଲ ରପ୍ତାନି କେନ୍ଦ୍ର ‘ଖାର୍ଗ ଦ୍ୱୀପ’ (Kharg Island) ନିକଟରେ ଏହି ଆକ୍ରମଣ କରାଯାଇଥିଲା। ଆମେରିକା ସେନା ଆକ୍ରମଣ କରିବା ପୂର୍ବରୁ ଟ୍ୟାଙ୍କରରେ ଥିବା କର୍ମଚାରୀମାନଙ୍କୁ ଜାହାଜ ଛାଡ଼ି ପଳାଇବାକୁ ନିର୍ଦ୍ଦେଶ ଦେଇଥିଲା, ଯାହାଫଳରେ କୌଣସି ପ୍ରାଣହାନି ଘଟିନାହିଁ।

CENTCOM ଅନୁଯାୟୀ, ଧ୍ୱଂସ ହୋଇଥିବା ଟ୍ୟାଙ୍କରଗୁଡ଼ିକ (M/T Kaviz, M/T Charminar, M/T Horizon 1, M/T Riesco ଏବଂ M/T Derya) IRGC ଦ୍ୱାରା ପରିଚାଳିତ ହେଉଥିଲା। ଏହି ବିଶାଳ ଟ୍ୟାଙ୍କର ନେଟୱାର୍କ ମାଧ୍ୟମରେ ମିଳୁଥିବା କୋଟି କୋଟି ଡଲାରର ଅର୍ଥକୁ ଇରାନ ସେନା ଏବଂ ତାର ଆଞ୍ଚଳିକ ପ୍ରୋକ୍ସି ସଙ୍ଗଠନଗୁଡ଼ିକୁ ସାହାଯ୍ୟ କରିବାରେ ବ୍ୟବହାର କରାଯାଉଥିଲା।

ଗତ ୪ ଦିନ ମଧ୍ୟରେ ଇରାନୀ ତେଲ ଟ୍ୟାଙ୍କର ଉପରେ ଆମେରିକାର ଏହା ଦ୍ୱିତୀୟ ବଡ଼ ଆକ୍ରମଣ ଥିଲା, ଯାହା ମଧ୍ୟପ୍ରାଚ୍ୟରେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧର ସ୍ଥିତି ସୃଷ୍ଟି କରିଛି।