ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି (ST & SC) କଲ୍ୟାଣ ବିଭାଗର ୨ ଜଣ ଅଡିଟରଙ୍କଠାରୁ ବିପୁଳ ପରିମାଣର ଅସାଧୁ ଅର୍ଥ ଜବତ କରିଛି ଓଡ଼ିଶା ଭିଜିଲାନ୍ସ। ବାରିପଦାରେ ଚଢ଼ାଉ କରି ଭିଜିଲାନ୍ସ ଟିମ୍‌ ସେମାନଙ୍କ ନିକଟରୁ ମୋଟ ୧୪,୩୮,୩୪୦ ଟଙ୍କା ନଗଦ କ୍ୟାଶ୍ ଜବତ କରିଛି।

ଅଭିଯୁକ୍ତ ଅଡିଟର ଦ୍ୱୟ ହେଲେ ପ୍ରଶାନ୍ତ କୁମାର ପ୍ରଧାନ ଏବଂ ପ୍ରଜ୍ଞାନ ପ୍ରକାଶ ପାତ୍ର।

ସୂଚନା ଅନୁସାରେ, ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ୍ ସେପ୍ଟେମ୍ବର ୧୦ ତାରିଖ ବିଳମ୍ବିତ ରାତିରେ ବାରିପଦା ଜିଲ୍ଲା ମଙ୍ଗଳ ଅଫିସ ରୁ ଅଫିସିଆଲ୍ ସ୍କୋର୍ପିଓ ଗାଡ଼ିରେ ରକ୍ସି ଲେନ୍‌ସ୍ଥିତ ହୋଟେଲକୁ ଫେରୁଥିବା ସମୟରେ ଉଭୟଙ୍କୁ ଅଟକାଇଥିଲା। ଗାଡ଼ି ଯାଞ୍ଚ ସମୟରେ ୫୨ଟି ଏନଭେଲପ୍ ଏବଂ ୨୦ଟି ବୁଣ୍ଡଲରେ ରଖାଯାଇଥିବା ୫,୫୧,୫୧୦ ଟଙ୍କା ମିଳିଥିଲା।

ଏହି ଟଙ୍କାର କୌଣସି ବୈଧ ସୂତ୍ର ଦର୍ଶାଇ ନପାରିବାରୁ ପରେ ସେମାନେ ରହୁଥିବା ହୋଟେଲ କୋଠରୀରେ ଚଢ଼ାଉ କରାଯାଇ ଆଉ ୮,୮୬,୮୩୦ ଟଙ୍କା ଜବତ କରାଯାଇଥିଲା।

ଅଡିଟର ଦ୍ୱୟ ଅଗଷ୍ଟ ୩୦, ୨୦୨୬ ରୁ ବାରିପଦା DWO ଅଫିସ, ଆଶ୍ରମ ସ୍କୁଲ, ସେବାଶ୍ରମ, ହାଇସ୍କୁଲ ଏବଂ ଆବାସିକ ହଷ୍ଟେଲଗୁଡ଼ିକର ଅଡିଟ୍ କାର୍ଯ୍ୟ ପାଇଁ ନିୟୋଜିତ ଥିଲେ। ସେମାନେ ସ୍କୁଲର ପ୍ରଧାନଶିକ୍ଷକ ଓ ହଷ୍ଟେଲ ସୁପରିନ୍‌ଟେଣ୍ଡେଣ୍ଟମାନଙ୍କୁ କାଗଜପତ୍ର ସହ ବାରିପଦା ଡାକିଥିଲେ।

ଅଡିଟ୍ ରିପୋର୍ଟ କୋହଳ କରିବା ପାଇଁ ସେମାନେ ନାମଲେଖାଇଥିବା ପ୍ରତ୍ୟେକ ଛାତ୍ର/ଛାତ୍ରୀ ପିଛା ୧୦ ଟଙ୍କା ଲେଖାଏଁ ଲାଞ୍ଚ ଦାବି କରୁଥିବା ନେଇ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା। ସତ୍ୟତା ପ୍ରମାଣିତ ହେବା ପରେ ଭିଜିଲାନ୍ସ ଏହି ପଦକ୍ଷେପ ନେଇଛି।

ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ଉଭୟ ଅଡିଟରଙ୍କୁ କଡ଼ା ପଚରାଉଚରା କରାଯାଉଛି। ଏହା ସହିତ ସେମାନଙ୍କର ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ପାଇଁ ସେମାନଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।