ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତି ଏବଂ ଭୂ-ରାଜନୈତିକ ଅସ୍ଥିରତା ମଧ୍ୟରେ ଭାରତର ‘ବ୍ରିକ୍ସ’ (BRICS) ଅଧ୍ୟକ୍ଷତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟରେ ଆସିଛି ବୋଲି ଆସୋଚାମ୍ (ASSOCHAM) ସଭାପତି ନିର୍ମଳ କୁମାର ମିଣ୍ଡା ଶୁକ୍ରବାର କହିଛନ୍ତି। ବ୍ରିକ୍ସ ଆର୍ଥିକ ସହଯୋଗ ପାଇଁ ଏକ ଶକ୍ତିଶାଳୀ ମଞ୍ଚ ଭାବରେ ଉଭା ହୋଇଛି ଏବଂ ଆଗାମୀ ପର୍ଯ୍ୟାୟରେ ଅଧିକ ବିଶ୍ୱାସ, ସ୍ୱଚ୍ଛତା ଏବଂ ବ୍ୟବସାୟିକ ସହଭାଗିତା ମାଧ୍ୟମରେ ବାଣିଜ୍ୟ ଓ ପୁଞ୍ଜିନିବେଶକୁ ଅଧିକ ସୁଦୃଢ଼ କରିବା ଉପରେ ଧ୍ୟାନ ଦିଆଯିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି।
ସେପ୍ଟେମ୍ବର ୧୨ ଏବଂ ୧୩ ତାରିଖରେ ନୂଆଦିଲ୍ଲୀର ପ୍ରଗତି ମୈଦାନସ୍ଥିତ ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବାକୁ ଯାଉଛି BRICS ଶିଖର ସମ୍ମିଳନୀ ୨୦୨୬। ଭାରତ ଚତୁର୍ଥ ଥର ପାଇଁ ଏହି ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରୁଛି। ଏହି ବୈଠକରେ ବ୍ରିକ୍ସର ସଦସ୍ୟ ଦେଶ, ସହଯୋଗୀ ଦେଶ ଏବଂ ନିମନ୍ତ୍ରିତ ଦେଶଗୁଡ଼ିକର ବିଶ୍ୱନେତାମାନେ ଯୋଗଦେବେ।
ସମ୍ମିଳନୀ ସମୟରେ ନେତାମାନେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ଏବଂ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ମୁଦ୍ଦା ଉପରେ ଆଲୋଚନା କରିବେ।
ଗ୍ଲୋବାଲ ସାଉଥ୍ର ସ୍ୱର ପାଲଟିଛି BRICS
ଉଦୀୟମାନ ଅର୍ଥବ୍ୟବସ୍ଥାଗୁଡ଼ିକର ଏକ ସଂଗଠନ ଭାବେ ଆରମ୍ଭ ହୋଇଥିବା BRICS ବର୍ତ୍ତମାନ ଚାରୋଟି ମହାଦେଶରେ ନିଜର କଳେବର ବୃଦ୍ଧି କରିସାରିଛି। ବିଶେଷ କରି ‘ଗ୍ଲୋବାଲ ସାଉଥ୍’ ର ବିକାଶଶୀଳ ଦେଶଗୁଡ଼ିକର ସ୍ୱରକୁ ବିଶ୍ୱସ୍ତରୀୟ ମଞ୍ଚରେ ପହଞ୍ଚାଇବାରେ ଏହା ଏକ ମୁଖ୍ୟ ମାଧ୍ୟମ ସାଜିଛି।
ବ୍ରିକ୍ସ ଆର୍ଥିକ ନୀତିଗୁଡ଼ିକର ସମନ୍ୱୟ ଏବଂ ବିଶ୍ୱ ସ୍ତରୀୟ ଶାସନ ପ୍ରଣାଳୀରେ ନିଜର ସାଧାରଣ ଆଭିମୁଖ୍ୟ ସ୍ପଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।
ଏଥର ଭାରତର ଅଧ୍ୟକ୍ଷତାର ମୂଳ ବିଷୟବସ୍ତୁ (Theme) ହେଉଛି “Building for Resilience, Innovation, Cooperation and Sustainability” (ସ୍ଥିରତା, ନବସୃଜନ, ସହଯୋଗ ଏବଂ ସ୍ଥାୟୀ ବିକାଶ ପାଇଁ ନିର୍ମାଣ)। ଏହି ଥିମ୍ ସଂସ୍ଥାଗତ ଦକ୍ଷତା ବୃଦ୍ଧି ଏବଂ ବିଦ୍ୟମାନ ସଫଳତାକୁ ଆଗକୁ ନେବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି।




