ଭୁବନେଶ୍ୱର: ଦୃଷ୍ଟିହୀନ ପୁରୁଷ ଏସିଆ କପ୍ ୨୦୨୬ (Men’s Asia Cup 2026 for the Blind) ପାଇଁ ଘୋଷଣା କରାଯାଇଥିବା ୨୪ ଜଣିଆ ଭାରତୀୟ ସମ୍ଭାବ୍ୟ ଦଳରେ ଓଡ଼ିଶାର ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦେବରାଜ ବେହେରା, ନକୁଳ ବଡ଼ନାୟକ ଏବଂ ସୁଖରାମ ମାଝୀ।
ଢାକାରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ କ୍ରିକେଟ୍ ଆସୋସିଏସନ୍ ଫର୍ ଦି ବ୍ଲାଇଣ୍ଡ୍ ଇନ୍ ଇଣ୍ଡିଆ (CABI) ଶନିବାର ଦିନ ୨୪ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ପ୍ରଥମ ସଂସ୍କରଣର ଚାମ୍ପିଅନ୍ ଭାରତ ଏଥର ମଧ୍ୟ ଦ୍ୱିତୀୟ ଥର ପାଇଁ ଟାଇଟଲ୍ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ।
ଦୀର୍ଘ ୧୦ ବର୍ଷ ପରେ ଫେରୁଛି ଏସିଆ କପ୍
ବିଭିନ୍ନ ପ୍ରଶାସନିକ ଓ ପରିଚାଳନାଗତ ସମସ୍ୟା ଯୋଗୁଁ ଦୀର୍ଘ ୧୦ ବର୍ଷର ବ୍ୟବଧାନ ପରେ ଦୃଷ୍ଟିହୀନ ପୁରୁଷ ଏସିଆ କପ୍ର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି। ଏହାପୂର୍ବରୁ ୨୦୧୬ରେ କେରଳର କୋଚିଠାରେ ଆୟୋଜିତ ଉଦ୍ଘାଟନୀ ଏସିଆ କପ୍ ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ଚାମ୍ପିଅନ୍ ହୋଇଥିଲା।
ଜାତୀୟ ଶିବିର ପରେ ଘୋଷଣା ହେବ ୧୭ ଜଣିଆ ଅନ୍ତିମ ଦଳ
ଚୟନ କରାଯାଇଥିବା ୨୪ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କୁ ନେଇ ଏକ ଜାତୀୟ କୋଚିଂ ଓ ଚୟନ ଶିବିର ଆୟୋଜନ କରାଯିବ। ଏହି ଶିବିରରେ କ୍ରିକେଟ୍ ଟ୍ରେନିଂ, ଫିଟନେସ୍, ରଣନୀତିଗତ ପ୍ରସ୍ତୁତି ଏବଂ ଅଭ୍ୟାସ ମ୍ୟାଚ୍ ଆୟୋଜିତ ହେବ। ଖେଳାଳିଙ୍କ ପ୍ରଦର୍ଶନ, ଫିଟନେସ୍ ଓ ଦଳଗତ ସନ୍ତୁଳନକୁ ନଜରରେ ରଖି ଚୟନ କମିଟି ଓ କୋଚିଂ ଷ୍ଟାଫ୍ ଅନ୍ତିମ ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରିବେ।
ନରେଶ ତୁମଡା, ସଞ୍ଜୟ କୁମାର ଶାହା, ଦେବରାଜ ବେହେରା, ଅଶୋକ ରେଡ୍ଡୀ, ପ୍ରବୀଣ କୁମାର ଶର୍ମା, ମୁକେଶ କୁମାର ରାୱତ, ସାୟନ୍ତ କେ.ବି., ଗୋଲୁ କୁମାର, ଦୁନ୍ନା ଭେଙ୍କଟେଶ୍ୱରରାଓ, ରାମବୀର ସିଂ, ଲୋକେଶ, ମନୀଷ କୁମାର, ନକୁଳ ବଡ଼ନାୟକ, ଦୀପକ ସିଂ ରାୱତ, ସ୍ନେହିତ ଏସ. କୁମାର, ଇରଫାନ ଦିୱାନ, ଭାସ୍କର କେ., ଦୁର୍ଗା ରାଓ ତୋମ୍ପାକି, ସୁନୀଲ ରମେଶ, ସୁଖରାମ ମାଝୀ, ଏ. ରବି, ଦିନେଶ ରାଠୱା, ଦୀପକ, ଗମ୍ଭୀର ଏସ. ଚୌହାନ।




