ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଡ୍ରଗ୍ସ ମାଫିଆଙ୍କ ବେପରୁଆ କାର୍ଯ୍ୟକଳାପ ସୀମା ପାର କରିଛି। ସନିବାର ବିଳମ୍ବିତ ରାତିରେ ବ୍ରାଉନସୁଗାର କାରବାର ଖବର ପାଇ ପାଟ୍ରୋଲିଂ କରୁଥିବା ପୋଲିସ ଟିମ୍ ଉପରକୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ଏହି ମାରାତ୍ମକ ଆକ୍ରମଣରେ ପୋଲିସ କନଷ୍ଟେବଳ କ୍ୟାପଟେନ୍ ନିତ୍ୟାନନ୍ଦ ଗୁରୁତର ଭାବେ ଆହାତ ହୋଇଛନ୍ତି।
ପ୍ରାପ୍ତ ଖବର ଅନୁଯାୟୀ, ଅଞ୍ଚଳରେ ବ୍ରାଉନସୁଗାର ଚୋରା ଚାଲାଣ ହେଉଥିବା ଗୁପ୍ତ ସୂଚନା ପାଇ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଅଭିଯୁକ୍ତମାନେ ସେମାନଙ୍କ କାର୍ରେ ପୋଲିସ ଟିମ୍କୁ ଧକ୍କା ଦେଇ ଚାପି ଦେବାକୁ ଚେଷ୍ଟା କରିଥିଲେ।
ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ, ୩ ଫେରାର
- ମୁଖ୍ୟ ଅଭିଯୁକ୍ତ ଗିରଫ: ଘଟଣାସ୍ଥଳରୁ ପୋଲିସ ଦୁଇ ମୁଖ୍ୟ ଅଭିଯୁକ୍ତ ଭିକି ପରିଜା ଏବଂ ଜାକି ପରିଜାଙ୍କୁ ଗିରଫ କରିଛି।
- ତିନି ଜଣ ଫେରାର: ଆକ୍ରମଣ ପରେ ଅନ୍ୟ ତିନି ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି।
- ପୂର୍ବରୁ ଅନେକ ମାମଲା: ଗିରଫ ଦୁଇ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ସେମାନେ ଜାମିନରେ ବାହାରି ଏଭଳି କାଣ୍ଡ ଭିଆଇଥିବା ପୋଲିସ ସୂଚନା ଦେଇଛି।
କୋର୍ଟ ଚାଲାଣ ଓ ମାନହଣ୍ଟ ଜାରି
ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, “ଅଭିଯୁକ୍ତମାନେ ପୂର୍ବରୁ ଜାମିନରେ ଥିଲେ ଏବଂ ଏବେ ସେମାନେ ସୀମା ଡେଇଁ ପୋଲିସ ଉପରେ ଆକ୍ରମଣ କରିଛନ୍ତି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।”
ଅନ୍ୟପଟେ ଫେରାର ଥିବା ତିନି ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବ୍ୟାପକ ମାନହଣ୍ଟ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।




