ମୁମ୍ବାଇ:ଓଡ଼ିଶାରେ ଖୁବ୍‌ଶୀଘ୍ର ଲାଗୁ ହେବାକୁ ଯାଉଛି ସମାନ ନାଗରିକ ସଂହିତା (ୟୁସିସି)। ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ୨୧ଟି ଭାଜପା ଏବଂ ଏନ୍‌ଡିଏ ଶାସିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୟୁସିସି ଲାଗୁ କରାଯିବ ବୋଲି ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଛନ୍ତି। ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଗୃହମନ୍ତ୍ରୀ କହିଛନ୍ତି ଯେ, କେତେକ ରାଜ୍ୟରେ ଏହା ମୋହର ମାରିସାରିଥିବା ବେଳେ ବାକି ଏନ୍‌ଡିଏ ଶାସିତ ରାଜ୍ୟଗୁଡ଼ିକରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହା କାର୍ଯ୍ୟକାରୀ ହେବ।

ସମାନ ନାଗରିକ ସଂହିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଧର୍ମ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ବିବାହ, ବିବାହ ବିଚ୍ଛେଦ (ଡାଇଭୋର୍ସ), ଉତ୍ତରାଧିକାର ଓ ପୋଷ୍ୟ ସନ୍ତାନ ଗ୍ରହଣ ଭଳି ବ୍ୟକ୍ତିଗତ ଆଇନରେ ଏକ ସମାନ ଆଇନଗତ ବ୍ୟବସ୍ଥା ପ୍ରଣୟନ କରିବା। ଦେଶର ୨୧ଟି ଏନ୍‌ଡିଏ ଶାସିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଓଡ଼ିଶା ସମେତ ୧୫ଟି ରାଜ୍ୟରେ ଭାଜପା ନିଜସ୍ୱ ସରକାର ଚଲାଉଥିବା ବେଳେ ଅନ୍ୟ ୬ଟି ରାଜ୍ୟରେ ସହଯୋଗୀ ଦଳ ସହ ମିଶି ଶାସନ କରୁଛି।

ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ୨୦୨୫ ଜାନୁଆରୀ ୨୭ରେ ସଫଳତାର ସହ ୟୁସିସି ଲାଗୁ କରିସାରିଛି। ଏହାପରେ ଗୁଜରାଟ, ଆସାମ ଏବଂ ମଧ୍ୟପ୍ରଦେଶ ବିଧାନସଭାରେ ମଧ୍ୟ ୟୁସିସି ବିଲ୍ ପାରିତ ହୋଇସାରିଛି ଏବଂ ଏଗୁଡ଼ିକ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି।

ଗୃହମନ୍ତ୍ରୀଙ୍କ ଏହି ପ୍ରମୁଖ ଆଭିମୁଖ୍ୟ ପରେ ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କରିବେ। ୨୦୨୯ ପୂର୍ବରୁ ଓଡ଼ିଶାର ବ୍ୟକ୍ତିଗତ ଆଇନ ବ୍ୟବସ୍ଥାରେ ଏହି ମହତ୍ତ୍ୱପୂର୍ଣ୍ଣ ଆଇନଗତ ପରିବର୍ତ୍ତନ ଦେଖିବାକୁ ମିଳିବ।