ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଜମି କାରବାର ମଧ୍ୟରେ ଠକେଇ ରୋକିବା ପାଇଁ ଏକ ବଡ଼ ଡିଜିଟାଲ୍ ଆଦମ ଗ୍ରହଣ କରାଯାଇଛି। ଜମି ଓ ଘର କିଣାବିକାରେ ସ୍ୱଚ୍ଛତା ଆଣିବା ଏବଂ କ୍ରେତାମାନଙ୍କୁ ଠକାମିରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ନୂଆ ଡିଜିଟାଲ୍ ପ୍ଲାଟଫର୍ମ ‘ପ୍ରପର୍ଟି ଓଡ଼ିଶା’ ଆପ୍।

ଏହି ନୂତନ ଆପ୍‌ ସାହାଯ୍ୟରେ ଜମି କିମ୍ବା ଘର କିଣିବା ପୂର୍ବରୁ କ୍ରେତାମାନେ ଅନଲାଇନ୍‌ରେ ସମସ୍ତ ତଥ୍ୟ ଯାଞ୍ଚ କରିପାରିବେ। ସମ୍ପତ୍ତି ସମ୍ପର୍କିତ ସଠିକ୍ ତଥ୍ୟ ମିଳିବା ସହ ବିକ୍ରେତା ପକ୍ଷରୁ କୌଣସି ଅନିୟମିତତା, ଜାଲିଆତି କିମ୍ବା ଠକେଇର ଆଶଙ୍କା ରହିଛି କି ନାହିଁ, ସେ ନେଇ ଲୋକେ ପୂର୍ବରୁ ସଚେତନ ହୋଇପାରିବେ। ଏହାସହ ଗ୍ରାହକ ଓ ବିକ୍ରେତାଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କ ସ୍ଥାପନ ଏବଂ ସମ୍ପୂର୍ଣ୍ଣ କିଣାବିକା ବିବରଣୀ ମଧ୍ୟ ଏହି ଆପ୍ ମାଧ୍ୟମରେ ଉପଲବ୍ଧ ହେବ ବୋଲି ‘ପ୍ରପର୍ଟି ଓଡ଼ିଶା’ ଆପ୍‌ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଅନେକ ସମୟରେ ରାଜଧାନୀରେ ଜମି କିଣିବା ବେଳେ ଜାଲ୍ କାଗଜପତ୍ର ଦେଖାଇବା, ଭୁଲ ତଥ୍ୟ ଦେବା କିମ୍ବା ଗୋଟିଏ ଜମିକୁ ଏକାଧିକ ବ୍ୟକ୍ତିଙ୍କୁ ବିକ୍ରି କରିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଥାଏ। ଏଭଳି ଠକେଇର ଶିକାର ହୋଇ ସାଧାରଣ ଲୋକେ ନିଜର କଷ୍ଟଉପାର୍ଜିତ ସଞ୍ଚିତ ଟଙ୍କା ହରାଇବା ସହ ଆଇନଗତ ସମସ୍ୟାରେ ଛନ୍ଦି ହୋଇପଡ଼ନ୍ତି।

ଏହିସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ‘ପ୍ରପର୍ଟି ଓଡ଼ିଶା’ ଆପ୍‌କୁ ବାସ୍ତବ ରୂପ ଦିଆଯାଇଛି। ଜମି କିଣାବିକା ପୂର୍ବରୁ ତଥ୍ୟ ଯାଞ୍ଚର ଏକ ଡିଜିଟାଲ୍ ବିକଳ୍ପ ମିଳିବା ନିଶ୍ଚିତ ଭାବେ କ୍ରେତାଙ୍କ ପାଇଁ ବେଶ୍ ଗୁରୁତ୍ୱ ବହନ କରିବ ଏବଂ ରାଜଧାନୀରେ ବଢ଼ୁଥିବା ଜମି ଜାଲିଆତି ଉପରେ ଏହା ଅଙ୍କୁଶ ଲଗାଇବାରେ ସହାୟକ ହେବ।