ବାଲେଶ୍ୱର: ବାଲେଶ୍ୱରରେ ପୁଣି ଡ୍ରଗ୍ସ କାରବାର ଉପରେ ପୋଲିସର ଚଢ଼ାଉ। ସହଦେବଖୁଣ୍ଟା ଥାନା ପୋଲିସ ବାଲେଶ୍ୱର ରେଳ ଷ୍ଟେସନ ପଛପଟେ ଥିବା ମାଲଗୋଦାମ ନିକଟରୁ ପ୍ରାୟ ୧୪୬ ଗ୍ରାମ୍‌ ବ୍ରାଉନ୍‌ସୁଗାର (ସାଧାରଣ ଧଳାଜହର) ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍‌ସୁଗାରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ମଙ୍ଗଳବାର ସୂଚନା ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ରେଳ ଷ୍ଟେସନ ପଛ ମାଲଗୋଦାମ ଅଞ୍ଚଳରେ ନିଶାକାରବାର ଚାଲିଥିବା ନେଇ ସହଦେବଖୁଣ୍ଟା ପୋଲିସକୁ କୌଣସି ସୂତ୍ରରୁ ଗୁପ୍ତ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ପୋଲିସର ଏକ ବିଶେଷ ଟିମ୍ ଉକ୍ତ ସ୍ଥାନରେ ଆକସ୍ମିକ ଚଢ଼ାଉ କରି ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକାଇଥିଲା। ତଲାସି ସମୟରେ ସେମାନଙ୍କ ନିକଟରୁ ୧୪୬ ଗ୍ରାମ୍ ବ୍ରାଉନ୍‌ସୁଗାର ମିଳିଥିଲା।

ଗିରଫ ଦୁଇ ଅଭିଯୁକ୍ତ ହେଲେ କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ନାନ୍ଦୋଳା ଗ୍ରାମର ପ୍ରଶାନ୍ତ କୁମାର ନନ୍ଦ ଓରଫ ବାଦଲ, ଶିଶୁଆ ଗ୍ରାମର ରଶ୍ମିରଞ୍ଜନ ବାରିକ।

ପୋଲିସ ସେମାନଙ୍କ ନିକଟରୁ ବ୍ରାଉନ୍‌ସୁଗାର ବ୍ୟତୀତ ୨ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି।

ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ପ୍ରଶାନ୍ତ କୁମାର ନନ୍ଦ ଓରଫ ବାଦଲ ନାମରେ କଟକର ଜଗତପୁର ଏବଂ ଲାଲବାଗ ଥାନାରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ପେଣ୍ଡିଂ ରହିଛି। ସେ କଟକରୁ ନେଟୱର୍କ ବିସ୍ତାର କରି ବାଲେଶ୍ୱରରେ ଡ୍ରଗ୍ସ ଯୋଗାଣ ପାଇଁ ଆସିଥିବା ସନ୍ଦେହ କରାଯାଉଛି।

ଏହି ସମ୍ପର୍କରେ ସହଦେବଖୁଣ୍ଟା ଥାନାରେ ଏନ୍‌ଡିପିଏସ୍‌ (NDPS) ଆକ୍ଟ ଅନୁଯାୟୀ କେସ୍ ନଂ ୩୯୧ ରୁଜୁ କରାଯାଇଛି। ଏହି ଗୋଷ୍ଠୀ ପଛରେ ଥିବା ମୁଖ୍ୟ ଚୋରାଚାଲାଣକାରୀ ଏବଂ ସମ୍ପୃକ୍ତ ଡ୍ରଗ୍ସ ନେଟୱର୍କକୁ ଖୋଜିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।