ଭୁବନେଶ୍ୱର: ଓଡ଼ିଶାର ପୋଲିସ ମହାଶ୍ରେଷ୍ଠ ଙ୍କ ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ। ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ୍ ଭି. ମୋହନଙ୍କୁ ନେଇ ଗଠିତ ଏକ ତିନିଜଣିଆ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବେ।
ଆବେଦନକାରୀଙ୍କ ଅଭିଯୋଗ:
ବାଲେଶ୍ୱରର ଜୟନ୍ତ ଦାସଙ୍କ ଦ୍ୱାରା ଏହି ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଛି। ସେ ତାଙ୍କ ଆବେଦନରେ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ସରକାର DGP ନିଯୁକ୍ତି ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ୨୦୦୬ ମସିହାର ଐତିହାସିକ ‘ପ୍ରକାଶ ସିଂହ ମାମଲା’ର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ନିୟମ ଓ ପଦ୍ଧତିକୁ ଏଡ଼ାଇ ଦେଇ ରାଜ୍ୟ ସରକାର ଏହି ନିଯୁକ୍ତି ପ୍ରକ୍ରିୟା ସମ୍ପାଦନ କରିଛନ୍ତି।
ଆମିକସ୍ କ୍ୟୁରୀଙ୍କ ରିପୋର୍ଟ:
ପୂର୍ବ ଶୁଣାଣି ସମୟରେ, କୋର୍ଟଙ୍କ ଆମିକସ୍ କ୍ୟୁରୀ ରାଜୁ ରାମଚନ୍ଦ୍ରନ୍ ମଧ୍ୟ ଏହି ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତାର ଅଭାବ ରହିଥିବା ନେଇ ଦର୍ଶାଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆମିକସ୍ କ୍ୟୁରୀ ଏହି ମାମଲାରେ ସେମାନଙ୍କର ଦୁଇଟି ସ୍ୱତନ୍ତ୍ର ରିପୋର୍ଟ ଦାଖଲ କରିସାରିଛନ୍ତି।
ଏହା ସହିତ ରାଜ୍ୟ ସରକାର ଦୁଇଜଣ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ADG) ପଦବୀର ଅଫିସରଙ୍କୁ DGP ପଦବୀକୁ ପଦୋନ୍ନତି ଦେବା ନିଷ୍ପତ୍ତି ଉପରେ ମଧ୍ୟ ରାମଚନ୍ଦ୍ରନ୍ ସୁପ୍ରିମକୋର୍ଟରେ ପ୍ରଶ୍ନ ଉଠାଇଛନ୍ତି।
ଆଜି ହେବାକୁ ଥିବା ଶୁଣାଣିରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଓ ନିଯୁକ୍ତି ନିୟମାବଳୀ ଉପରେ କି ନିର୍ଦ୍ଦେଶ ଦେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।




