କଟକ: ଜମି ଯୋଗାଇଦେବା ନାଁରେ ୧.୨୫ କୋଟି ଟଙ୍କା ଠକେଇ କରିବା ଅଭିଯୋଗରେ ବିଜେଡି କୋର୍ପୋରେଟର ସତ୍ୟରାମ ସାହୁଙ୍କୁ ଗିରଫ କରିଛି ପୁରୀଘାଟ ଥାନା ପୋଲିସ। ଗିରଫ ସତ୍ୟରାମ ସାହୁ କଟକ ମହାନଗର ନିଗମ (CMC) ର ୨୫ ନମ୍ବର ୱାର୍ଡର ବିଜେଡି କୋର୍ପୋରେଟର ଭାବେ କାର୍ଯ୍ୟ କରୁଛନ୍ତି।
ପୋଲିସ ସୂଚନା ଅନୁଯାୟୀ, କଟକ ନିମାସାହି ଅଞ୍ଚଳର ଗୁରୁପ୍ରସାଦ ମହାରାଣାଙ୍କୁ ଜମି ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ସତ୍ୟରାମ। ଏହି ବାବଦରେ ସେ ୨୦୧୯ ମସିହାରେ ଗୁରୁପ୍ରସାଦଙ୍କଠାରୁ ଦଫା ଦଫାରେ ମୋଟ ୧.୨୫ କୋଟି ଟଙ୍କା ନେଇଥିଲେ।
ତେବେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ସତ୍ୟରାମ ଜମି ହସ୍ତାନ୍ତର କରିନଥିଲେ କିମ୍ବା ଟଙ୍କା ଫେରସ୍ତ କରିନଥିଲେ।
ଟଙ୍କା ଫେରସ୍ତ ନମିଳିବାରୁ ଅଭିଯୋଗକାରୀ ଗୁରୁପ୍ରସାଦ ମହାରାଣା ଏନେଇ ପୁରୀଘାଟ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। ପୋଲିସ ମାମଲାର ତଦନ୍ତ କରିବା ସହ ଅଭିଯୋଗର ସତ୍ୟତା ପାଇ ଗିରଫଦାରୀ ପଦକ୍ଷେପ ନେଇଛି।
ପୁରୀଘାଟ ଥାନା ପୋଲିସ କୋର୍ପୋରେଟର ସତ୍ୟରାମ ସାହୁଙ୍କୁ ଗିରଫ କରିବା ପରେ କୋର୍ଟଚାଲାଣ କରିଥିବା ସୂଚନା ଦେଇଛି। ଏହି ବହୁଚର୍ଚ୍ଚିତ ଠକେଇ ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।




