ଭୁବନେଶ୍ୱର: କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ନେଇ ବ୍ରହ୍ମପୁର ମଣ୍ଡଳ କାରାଗାର ରେ ନିୟୋଜିତ ଜଣେ ବରିଷ୍ଠ ଡାକ୍ତରଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ନିଲମ୍ବନ ଆଦେଶ ଜାରି ହୋଇଛି।
ନିଲମ୍ବିତ ଡାକ୍ତରଙ୍କ ନାମ ଡାକ୍ତର ସୁଶାନ୍ତ କୁମାର ପାଣିଗ୍ରାହୀ। ସେ ବ୍ରହ୍ମପୁର ସିଟି ହସ୍ପିଟାଲର ଗ୍ରୁପ୍-ଏ (JB), LTRMO ଭାବେ କାର୍ଯ୍ୟରତ ଥିଲେ ଏବଂ ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ମନୋଚିକିତ୍ସା ବିଶେଷଜ୍ଞ ଭାବେ ନିୟୋଜିତ କରାଯାଇଥିଲା।
ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଡାକ୍ତର ପାଣିଗ୍ରାହୀଙ୍କ ବିରୋଧରେ ଏକ ବିଭାଗୀୟ ଶୃଙ୍ଖଳାଗତ ନିୟମାବଳୀ ପ୍ରକ୍ରିୟା ବିଚାରାଧୀନ ରହିଛି।
ଓଡ଼ିଶା ସିଭିଲ୍ ସରଭିସେସ୍ (CC&A) ରୁଲ୍ସ, ୧୯୬୨ର ରୁଲ୍-୧୨, ସବ୍-ରୁଲ୍ (୧) ର କ୍ଲଜ୍ (b) ଅଧୀନରେ ମିଳିଥିବା କ୍ଷମତାର ପ୍ରୟୋଗ କରି ସକ୍ଷମ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ ପ୍ରଭାବରୁ ଚାକିରିରୁ ନିଲମ୍ବିତ କରିଛନ୍ତି।
ନିଲମ୍ବନ ସମୟରେ ତାଙ୍କର ମୁଖ୍ୟାଳୟ ବ୍ରହ୍ମପୁର ସିଟି ହସ୍ପିଟାଲରେ ରହିବ। ସକ୍ଷମ କର୍ତ୍ତୃପକ୍ଷଙ୍କ ପୂର୍ବାନୁମତି ବିନା ସେ ମୁଖ୍ୟାଳୟ ଛାଡ଼ି କୁଆଡ଼େ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ଓଡ଼ିଶା ସରଭିସ୍ କୋଡ୍ର ରୁଲ୍-୯୦ ଅନୁଯାୟୀ, ନିଲମ୍ବନ ଅବଧି ମଧ୍ୟରେ ଡାକ୍ତର ପାଣିଗ୍ରାହୀଙ୍କୁ ନିୟମାନୁସାରେ ଖୋରାକି ଭତ୍ତା ପ୍ରଦାନ କରାଯିବ। ସ୍ୱାସ୍ଥ୍ୟ ବିଭାଗର ଏହି କଠୋର କାର୍ଯ୍ୟାନୁଷ୍ଠାନ ପରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚର୍ଚ୍ଚା ଜୋର ଧରିଛି।




