ନୂଆଦିଲ୍ଲୀ: ଆଗାମୀ ସେପ୍ଟେମ୍ବର ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ଆହ୍ୱାନ ଦେଇଛି ‘ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ’ (UFBU)। ଏହାକୁ ଦୃଷ୍ଟିରେ ରଖି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ନିଜର ଗ୍ରାହକମାନଙ୍କ ପାଇଁ ଏକ ଜରୁରୀ ପରାମର୍ଶବଳୀ ବା ଆଡଭାଇଜରୀ ଜାରି କରିଛି। ଧର୍ମଘଟ ସମୟରେ ଅସୁବିଧାରୁ ବର୍ତ୍ତିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କିଂ କାର୍ଯ୍ୟଗୁଡ଼ିକୁ ପୂର୍ବରୁ ଶେଷ କରିବାକୁ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।
ସେପ୍ଟେମ୍ବର ୨୬ (ଶନିବାର) ଏବଂ ୨୭ (ରବିବାର) ସାପ୍ତାହିକ ଛୁଟି ପଡ଼ୁଥିବା ବେଳେ ସେପ୍ଟେମ୍ବର ୨୮ ରୁ ୩୦ ପର୍ଯ୍ୟନ୍ତ ଧର୍ମଘଟ ରହିଛି। ଫଳରେ ଗ୍ରାହକମାନେ ଲଗାତାର ୫ ଦିନ ପର୍ଯ୍ୟନ୍ତ ନିୟମିତ ବ୍ୟାଙ୍କ ଶାଖା ସେବାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ୟୁନିୟନ୍ ଗୁଡ଼ିକ ପକ୍ଷରୁ ଆଗାମୀ ଅକ୍ଟୋବର ୨୬ ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟର ଚେତାବନୀ ମଧ୍ୟ ଦିଆଯାଇଛି।
SBI ଦର୍ଶାଇଛି ଯେ, ଧର୍ମଘଟ ସମୟରେ ଜରୁରୀ ସେବା ଯୋଗାଇଦେବାକୁ ଚେଷ୍ଟା କରାଯାଉଥିଲେ ହେଁ କର୍ମଚାରୀଙ୍କ ଅଂଶଗ୍ରହଣ ଯୋଗୁଁ ଶାଖା ପରିଚାଳନା ବାଧାପ୍ରାପ୍ତ ହୋଇପାରେ। ବିଶେଷ କରି ଭୌତିକ କାଗଜପତ୍ର ଯାଞ୍ଚ, ଚେକ୍ କ୍ଲିଅରିଂ, ନଗଦ ଜମା/ଉଠାଣ ଏବଂ ପ୍ରତ୍ୟକ୍ଷ ଭାବେ ଅଫିସରଙ୍କ ସହାୟତା ଆବଶ୍ୟକ କରୁଥିବା କାର୍ଯ୍ୟଗୁଡ଼ିକ ପ୍ରଭାବିତ ହେବ।
ଧର୍ମଘଟ ସମୟରେ ଗ୍ରାହକଙ୍କ ଅସୁବିଧା କମ୍ କରିବାକୁ ବ୍ୟାଙ୍କ ବିକଳ୍ପ ଡିଜିଟାଲ୍ ମାଧ୍ୟମ ବ୍ୟବହାର କରିବାକୁ ଅନୁରୋଧ କରିଛି। ନଗଦ ଟଙ୍କା ଉଠାଣ ଓ ଜମା ପାଇଁ ଏଟିଏମ୍ (ATM) ଏବଂ ADWM ର ବ୍ୟବହାର କରିପାରିବେ। ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ, YONO ଆପ୍ ଏବଂ UPI ସେବା ସ୍ୱାଭାବିକ ଭାବେ କାର୍ଯ୍ୟ କରିବ। ଗ୍ରାହକ ସେବା କେନ୍ଦ୍ର (CSP) ମାଧ୍ୟମରେ ମଧ୍ୟ କିଛି ଆବଶ୍ୟକୀୟ ସେବା ପାଇପାରିବେ।
ତେବେ ଡିଜିଟାଲ୍ ମାଧ୍ୟମରେ ସବୁ କାର୍ଯ୍ୟ ସମ୍ଭବ ହୋଇନଥିବାରୁ, ବ୍ୟାଙ୍କ ଶାଖା ଉପରେ ନିର୍ଭର କରୁଥିବା ଗ୍ରାହକମାନେ ତୁରନ୍ତ ନିଜର କାର୍ଯ୍ୟ ଶେଷ କରିବାକୁ ପରାମର୍ଶ ଦିଆଯାଇଛି।




