ସିଓଲ୍: ଉତ୍ତର କୋରିଆ ପୁଣି ଥରେ ପୂର୍ବ ସାଗର ଆଡ଼କୁ ଏକ ଅଜ୍ଞାତ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ରବିବାର ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ (JCS) ଏହି ସୂଚନା ଦେଇଛନ୍ତି। ଏହି ପରୀକ୍ଷଣ ପରେ କୋରିଆ ଗୋଲାପୋଖରୀ ଅଞ୍ଚଳରେ ପୁଣି ଥରେ ସାମରିକ ଉତ୍ତେଜନା ବୃଦ୍ଧି ପାଇଛି।
ଏହା ପୂର୍ବରୁ ଗତ ସେପ୍ଟେମ୍ବର ୧୨ ତାରିଖରେ ମଧ୍ୟ ଉତ୍ତର କୋରିଆ ୱୋନସାନ୍ ଅଞ୍ଚଳରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହ ୬୦୦ ମିଲିମିଟର ମଲ୍ଟିପୁଲ୍ ରକେଟ୍ ଲଞ୍ଚରରୁ ଗୁଳିବର୍ଷା କରିଥିଲା। ସେହି କ୍ଷେପଣାସ୍ତ୍ରଗୁଡ଼ିକ ପ୍ରାୟ ୨୫୦ କିଲୋମିଟର ପର୍ଯ୍ୟନ୍ତ ଗତି କରି ସମୁଦ୍ରରେ ପଡ଼ିଥିଲା।
ସେପ୍ଟେମ୍ବର ୧୧ ରେ ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନ ମଧ୍ୟରେ ଶେଷ ହୋଇଥିବା ୫ ଦିନିଆ ଯୁଗ୍ମ ସାମରିକ ଅଭ୍ୟାସ ‘ଫ୍ରିଡମ୍ ଏଜ୍’ ପ୍ରତିବାଦରେ ଉତ୍ତର କୋରିଆ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରୁଥିବା ଆଶଙ୍କା କରାଯାଉଛି।
ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ (JCS) ଅନୁଯାୟୀ, ଉତ୍ତର କୋରିଆର ଗତିବିଧି ଉପରେ ଦକ୍ଷିଣ କୋରିଆ ଓ ଆମେରିକା ଗୋଇନ୍ଦା ସଂସ୍ଥା ପ୍ରାରମ୍ଭିକ ପର୍ଯ୍ୟାୟରୁ ନଜର ରଖିଛନ୍ତି। ଏହି ସମ୍ବନ୍ଧୀୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାପାନ ସହିତ ମଧ୍ୟ ସେୟାର କରାଯାଇଛି।
ଦକ୍ଷିଣ କୋରିଆ ସେନା ସ୍ପଷ୍ଟ କରିଛି ଯେ, “ଆମେରିକା ସହ ମିଳିତ ସୁରକ୍ଷା ବ୍ୟବସ୍ଥା ଅଧୀନରେ ଉତ୍ତର କୋରିଆର ସମସ୍ତ ସାମରିକ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। କୌଣସି ବି ଉସ୍କାନିମୂଳକ କାର୍ଯ୍ୟର କଠୋର ଜବାବ ଦେବା ପାଇଁ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।”
ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦକ୍ଷିଣ କୋରିଆ ଓ ଆମେରିକାର ମିଳିତ ସାମରିକ ଅଭ୍ୟାସକୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସାମରିକ ଅଭ୍ୟାସ ଅତ୍ୟନ୍ତ ବ୍ୟୟବହୁଳ ଏବଂ ଉତ୍ତର କୋରିଆ ପାଇଁ ଭୁଲ୍ ସନ୍ଦେଶ ଦେଉଛି ବୋଲି ଟ୍ରମ୍ପ କହିଥିଲେ। ତଥାପି, ଉତ୍ତର କୋରିଆର ଏହି କ୍ରମାଗତ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ଦକ୍ଷିଣ କୋରିଆ ସେନା ହାଇଆଲର୍ଟରେ ରହିଛି।




