କଟକ: ଗତବର୍ଷ ଚୌଦ୍ୱାର ମଣ୍ଡଳ କାରାଗାରରୁ ଦୁଇ ଜଣ ହତ୍ୟା ଅଭିଯୁକ୍ତ ଫେରାର ହେବା ଘଟଣାରେ ସରକାରୀ ନଥିପତ୍ର ଜାଲିଆତି ଓ ଦସ୍ତଖତ ଫୋର୍ଜରୀ ଅଭିଯୋଗରେ ସିନିୟର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ୍ କୁମାର ରାଉଳଙ୍କୁ ରବିବାର ଚୌଦ୍ୱାର ଥାନା ପୋଲିସ ଗିରଫ କରିଛି। ଓଡ଼ିଶା ହାଇକୋର୍ଟ ତାଙ୍କ ଅଗ୍ରିମ ଜାମିନ ଆବେଦନ ଖାରଜ କରିବା ସହ ଅନ୍ତରୀଣ ସୁରକ୍ଷା ହଟାଇ ନେବା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଗତ ୨୦୨୫ ଅକ୍ଟୋବର ୨ ତାରିଖ ରାତିରେ ଚୌଦ୍ୱାର ଜେଲରୁ ଦୁଇ ଜଣ ବିଚାରାଧୀନ ହତ୍ୟା ଅଭିଯୁକ୍ତ ମଧୁକାନ୍ତ ରାଣା ଏବଂ ରାଜା ସାହାନୀ ଫେରାର ହୋଇଯାଇଥିଲେ। ଏହି ଘଟଣା ପରେ ଜେଲର ପୂର୍ବତନ ଜେଲର ସନ୍ତୋଷିନୀ ଦାଶ ଚୌଦ୍ୱାର ଥାନାରେ ସୁଜିତ୍ ରାଉଳଙ୍କ ବିରୋଧରେ ଏତଲା ଦେଇଥିଲେ।
ଅଭିଯୋଗ ଅନୁଯାୟୀ ଜେଲ ଭାଙ୍ଗି କଏଦୀ ଫେରାର ହେବା ସମୟରେ ସୁପରିଣ୍ଟେଣ୍ଡେଣ୍ଟ ରାଉଳ ବିନା ଅନୁମତିରେ କାର୍ଯ୍ୟସ୍ଥଳରେ ଅନୁପସ୍ଥିତ ଥିଲେ। ପରେ ନିଜର ଉପସ୍ଥିତି ଦେଖାଇବା ପାଇଁ ଅକ୍ଟୋବର ୧, ୨ ଓ ୩ ତାରିଖର ଅଫିସିଆଲ୍ ଗେଟ୍-ଏଣ୍ଟ୍ରି ରେଜିଷ୍ଟରକୁ ଜାଲିଆତି କରାଯାଇଥିଲା।
ନିଜର ଗାଫିଲତି ଓ ସୁରକ୍ଷା ତ୍ରୁଟିର ଦାୟିତ୍ୱ ଅନ୍ୟ ଉପରେ ଲଦିବା ପାଇଁ ଅକ୍ଟୋବର ୨ ତାରିଖର ଜେଲ୍ ମିନିଟ୍ସ ବୁକ୍ରେ ରାଉଳ ଜେଲର ସନ୍ତୋଷିନୀ ଦାଶଙ୍କ ଜାଲ୍ ସ୍ୱାକ୍ଷର କରିଥିବା ଅଭିଯୋଗ ହୋଇଥିଲା।
ଜେଲ୍ ଭଙ୍ଗିବା ଘଟଣା ପରେ ଦୁଇ ଜଣ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଜେଲର ସନ୍ତୋଷିନୀ ଦାଶଙ୍କୁ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସବ୍-ଜେଲକୁ ବଦଳି କରାଯାଇଥିଲା। ଅପରପକ୍ଷରେ ସୁଜିତ୍ ରାଉଳ ନିଜ ଉପରୁ ଅଭିଯୋଗ ଖଣ୍ଡନ କରି ଜାନୁଆରୀ ୧୮ ରେ ସନ୍ତୋଷିନୀଙ୍କ ବିରୋଧରେ ଏକ ପାଲଟା ଏତଲା ଦେଇଥିଲେ। ସନ୍ତୋଷିନୀ କାର୍ଯ୍ୟରେ ଅବହେଳା କରିବା ସହ ତାଙ୍କ ବିନା ଅନୁମତିରେ କଏଦୀମାନଙ୍କୁ ସେଲ୍ରୁ ବାହାରିବାକୁ ସୁଯୋଗ ଦେଇଥିଲେ ବୋଲି ସେ ଦର୍ଶାଇଥିଲେ।
ପୋଲିସ ଏହି ଅଭିଯୋଗ ଓ ପାଲଟା ଅଭିଯୋଗର ତଦନ୍ତ କରି ନଥିପତ୍ର ଜାଲିଆତି ପ୍ରମାଣିତ ହେବା ପରେ ସୁଜିତ୍ ରାଉଳଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।




