କଟକ: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯାଉଥିବା ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍ – ସିଏମ୍ ଟ୍ରଫିରେ ସମ୍ବଲପୁର ୱାରିଅର୍ସ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ରୋମାଞ୍ଚକର ମୁକାବିଲାରେ କଟକ ପ୍ୟାନ୍ଥର୍ସକୁ ୯ ରନ୍ରେ ପରାସ୍ତ କରି ସମ୍ବଲପୁର ଦଳ ବିଜୟୀ ହୋଇଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ସମ୍ବଲପୁର ୱାରିଅର୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୯୩ ରନ୍ର ବିଶାଳ ସ୍କୋର୍ ଛିଡ଼ା କରିଥିଲା। ଦଳର ଅଧିନାୟକ ଗୌରବ ଚୌଧୁରୀ ଆକ୍ରମଣାତ୍ମକ ବ୍ୟାଟିଂ କରି ମାତ୍ର ୪୬ ବଲ୍ରୁ ୯ଟି ଚୌକା ଓ ୬ଟି ଛକା ସହାୟତାରେ ୮୮ ରନ୍ର ସ୍ମରଣୀୟ ଇନିଂସ ଖେଳିଥିଲେ।
ତାଙ୍କୁ ସାଥ୍ ଦେଇଥିଲେ ଓପନର୍ ଶାନ୍ତନୁ ମିଶ୍ର। ଉଭୟ ପ୍ରଥମ ୱିକେଟ୍ ପାଇଁ ୧୩୫ ରନ୍ର ଦୃଢ଼ ଭାଗୀଦାରୀ ଗଢ଼ିଥିଲେ। ଶାନ୍ତନୁ ୪୦ ବଲ୍ରୁ ୬୦ ରନ୍ କରି ଆଉଟ୍ ହୋଇଥିଲେ। ଗୌରବ ଆଉଟ୍ ହେବା ପରେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଦଳ କିଛିଟା ସଙ୍କଟରେ ପଡ଼ିଥିଲେ ବି ୧୯୩ ରନ୍ କରିବାରେ ସଫଳ ହୋଇଥିଲା। କଟକ ପ୍ୟାନ୍ଥର୍ସ ପକ୍ଷରୁ ଅଭିଷେକ ସିଂହ ୪ ଓଭରରେ ୩୨ ରନ୍ ଦେଇ ୩ଟି ସଫଳ ୱିକେଟ୍ ନେଇଥିଲେ।
୧୯୪ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା କଟକ ପ୍ୟାନ୍ଥର୍ସ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପାୱାର-ପ୍ଲେ’ ମଧ୍ୟରେ ଦଳ ମାତ୍ର ୪ଟି ୱିକେଟ୍ ହରାଇ ଚାପରେ ପଡ଼ିଯାଇଥିଲା। ଏହାପରେ ଏମ୍.ଜି. ଗୋପାଳ ଏବଂ କାର୍ତ୍ତିକ ବିଶ୍ୱାଳ ସ୍ଥିତି ସମ୍ଭାଳିଥିଲେ। କାର୍ତ୍ତିକ ବିଶ୍ୱାଳ ମାତ୍ର ୨୮ ବଲ୍ରୁ ୫୬ ରନ୍ର ଆକ୍ରମଣାତ୍ମକ ଇନିଂସ ଖେଳି ଦଳକୁ ମ୍ୟାଚ୍କୁ ଫେରାଇ ଆଣିଥିଲେ।
କାର୍ତ୍ତିକଙ୍କ ଆଉଟ୍ ହେବା ପରେ ଗୋପାଳ ଏକାକୀ ଲଢ଼େଇ ଜାରି ରଖିଥିଲେ ସୁଦ୍ଧା ଅନ୍ୟ ବ୍ୟାଟରଙ୍କ ସହଯୋଗ ଅଭାବରୁ କଟକ ପ୍ୟାନ୍ଥର୍ସ ୨୦ ଓଭରରେ ୯ ୱିକେଟ୍ ହରାଇ ୧୮୪ ରନ୍ରେ ଅଟକି ଯାଇଥିଲା।
ଅଧିନାୟକୋଚିତ୍ ଇନିଂସ ପାଇଁ ଗୌରବ ଚୌଧୁରୀଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ବିବେଚିତ କରାଯାଇଥିଲା। ଭାରତ ମସଲାର ସଂସ୍ଥାପକ ତଥା ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ଓସିଏ (OCA) ସଦସ୍ୟ ଶିବପ୍ରସାଦ ତ୍ରିପାଠୀ, ଓଏମ୍-ଟି ମୁଣ୍ଡେଙ୍କୁ ‘ମୋମେଣ୍ଟ ଅଫ୍ ଦି ମ୍ୟାଚ୍’ ପୁରସ୍କାର ଦେଇଥିଲେ। ବିଜୟ ପରେ ଗୌରବ କହିଛନ୍ତି ଯେ, ବିଜୟରୁ ଟୁର୍ନାମେଣ୍ଟ ଆରମ୍ଭ କରିବା ଦଳର ମନୋବଳକୁ ବହୁତ ବଢ଼ାଇଛି।




