ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି ବିବାଦ ଏବେ ରାଜ୍ୟରେ ତୀବ୍ର ରାଜନୈତିକ ରୂପ ନେଇଛି। ଏହି ପ୍ରସଙ୍ଗକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡଙ୍କ ଇସ୍ତଫା ଦାବି କରିବା ସହ ଆସନ୍ତା ମଙ୍ଗଳବାର (ସେପ୍ଟେମ୍ବର ୨୨) ରେ ବିଧାନସଭା ଘେରାଉ କରିବାକୁ ବିରୋଧୀ ବିଜୁ ଜନତା ଦଳର ଯୁବ ଓ ଛାତ୍ର ସମ୍ମୁଖ ସଂଗଠନ ଚେତାବନୀ ଦେଇଛନ୍ତି।

ରବିବାର ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ ଏବଂ ବିଜୁ ଛାତ୍ର ଜନତା ଦଳ ସଭାପତି ଇପ୍ସିତା ସାହୁ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି। ପ୍ରାୟ ୪ ମାସ ପୂର୍ବରୁ ପାଠ୍ୟପୁସ୍ତକର ଭୁଲ୍ ସମ୍ପର୍କରେ ଜଣାପଡ଼ିଥିଲେ ହେଁ ସରକାର ଭୁଲ୍‌ମୁକ୍ତ ବହି ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ବିଜେଡି ନେତାମାନେ ଦାବି କରିଛନ୍ତି ଯେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ପାଠ୍ୟପୁସ୍ତକରେ ଅନେକ ସମ୍ବେଦନଶୀଳ ଓ ଗୁରୁତର ତ୍ରୁଟି ରହିଛି। ଆଗାମୀ ଦିନରେ ପରୀକ୍ଷା ଥିବା ବେଳେ ଏପରି ଭୁଲ୍ ପାଠ୍ୟପୁସ୍ତକ ପଢ଼ି ଛାତ୍ରଛାତ୍ରୀମାନେ କିପରି ପ୍ରସ୍ତୁତ ହେବେ ବୋଲି ପ୍ରଶ୍ନ ଉଠାଯାଇଛି। ପାଠ୍ୟପୁସ୍ତକ ପ୍ରକାଶନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଏବଂ ପ୍ରାୟ ୩୮୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ବିଜେଡି ଆକ୍ଷେପ କରିଛି।

ମନ୍ତ୍ରୀ ଇସ୍ତଫା ନଦେଲେ ସେପ୍ଟେମ୍ବର ୨୨ ରୁ ବିଧାନସଭା ସମ୍ମୁଖରେ ଅହୋରାତ୍ର ଧାରଣା ଦିଆଯିବ ବୋଲି ଚିନ୍ମୟ ସାହୁ ଚେତାବନୀ ଦେଇଛନ୍ତି।

ଅପରପକ୍ଷରେ, ଏହି ସମାଲୋଚନାର ଜବାବ ଦେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ କହିଛନ୍ତି ଯେ ସରକାର ଏହି ବିଷୟକୁ ଗୁରୁତ୍ୱର ସହ ନେଇଛନ୍ତି ଏବଂ ଆବଶ୍ୟକୀୟ ସୁଧାର ପଦକ୍ଷେପ ଗ୍ରହଣ କରୁଛନ୍ତି। ପାଠ୍ୟପୁସ୍ତକଗୁଡ଼ିକର ପୁନଃ ପ୍ରୁଫ୍‌ରିଡିଂ କାର୍ଯ୍ୟ ଜାରି ରହିଛି ଏବଂ ଅତିଶୀଘ୍ର କୋମଳମତି ଛାତ୍ରଛାତ୍ରୀଙ୍କୁ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।