ଭୁବନେଶ୍ୱର: ମଧ୍ୟପ୍ରଦେଶର ଆଗର-ମାଲୱା ଜିଲ୍ଲା ନଲଖେଡ଼ାସ୍ଥିତ ମା’ ବଗଲାମୁଖୀ ମନ୍ଦିର ନିକଟରେ ବର୍ଷାଜଳରେ ଭାସିଯାଇ ପ୍ରାଣ ହରାଇଥିବା ଭୁବନେଶ୍ୱରର ଏକା ପରିବାରର ୭ ଜଣ ସଦସ୍ୟଙ୍କ ମୃତଦେହ ରବିବାର ବିଳମ୍ବିତ ରାତିରେ ରାଜଧାନୀରେ ପହଞ୍ଚିଛି। ଏହାପରେ ପବିତ୍ର ପୁରୀ ସ୍ୱର୍ଗଦ୍ୱାରରେ ଗଭୀର ଶୋକାକୁଳ ପରିବେଶ ମଧ୍ୟରେ ସମସ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ସୂଚନା ଅନୁଯାୟୀ, ଆଗର-ମାଲୱା ଜିଲ୍ଲା ରାଜସ୍ୱ ବିଭାଗର ୪ ଜଣ ବରିଷ୍ଠ ଅଧିକାରୀ ଏବଂ ପୋଲିସ ଟିମ୍ ୩ଟି ଆମ୍ବୁଲାନ୍ସ ଯୋଗେ ସମସ୍ତ ୭ଟି ମୃତଦେହକୁ ନେଇ ରବିବାର ରାତି ପ୍ରାୟ ୧:୩୦ ଟାରେ ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ଆତ୍ମାରାମ ବସ୍ତିରେ ପହଞ୍ଚିଥିଲେ। ମୃତଦେହ ପହଞ୍ଚିବା ଖବର ପାଇ ବନମାଳୀ ବେହେରାଙ୍କ ଘର ଏବଂ ଜୟଦେବ ବିହାର ଛକରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା।

ବନମାଳୀଙ୍କ ପୁଅ ଶିବପ୍ରସାଦ ବେହେରା, ଝିଅ ରାଧାରାଣୀ ଓ ରୀତାରାଣୀ, ଜ୍ୱାଇଁ ଜ୍ଞାନେନ୍ଦ୍ର, ଦୁଇ ନାତି ଏବଂ ଜଣେ ନାତୁଣୀଙ୍କ ମୃତଦେହ ବସ୍ତିରେ ପହଞ୍ଚିବା କ୍ଷଣି ପୁରା ଅଞ୍ଚଳରେ କାନ୍ଦବୋବୋଳି ଛାଟି ହୋଇପଡ଼ିଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ବେଶ୍ ନାକେଦମ୍ ହେବାକୁ ପଡ଼ିଥିଲା। ପୋଲିସ କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ସମ୍ଭାଳିଥିଲେ।

ବସ୍ତିରେ ଶେଷ ଦର୍ଶନ ପରେ ତିନୋଟି ମୃତଦେହ ବାହକ ଗାଡ଼ି ଯୋଗେ ସେମାନଙ୍କ ପୈତୃକ ଗ୍ରାମ ଗଡ଼କାଣକୁ ନିଆଯାଇଥିଲା। ସେଠାରେ ଗ୍ରାମବାସୀ ଓ ଆତ୍ମୀୟସ୍ୱଜନ ସାଶ୍ରୁ ନୟନରେ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହାପରେ ସମସ୍ତ ୭ଟି ସବକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ଦାହସଂସ୍କାର କରାଯାଇଛି। ପରିବାରର ଗୋଟିଏ ନିର୍ବନ୍ଧ ଏବଂ ନୂଆ ଘର ପ୍ରତିଷ୍ଠା ପୂର୍ବରୁ ଏପରି ମର୍ମନ୍ତୁଦ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣଙ୍କ ଜୀବନଯିବା ଘଟଣା ସାରା ରାଜ୍ୟରେ ଶୋକର ଛାୟା ଖେଳାଇଦେଇଛି।