ନବରଙ୍ଗପୁର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ପରେ ନବରଙ୍ଗପୁର ଜିଲ୍ଲାର ପ୍ରସିଦ୍ଧ ଇନ୍ଦ୍ରାବତୀ ଜଳାଶୟର ଗୋଟିଏ ଗେଟ୍ ଖୋଲାଯାଇଛି। ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ପ୍ରଥମ ଥର ପାଇଁ ଡ୍ୟାମ୍ରୁ ଜଳ ନିଷ୍କାସନ କରାଯାଉଥିବାରୁ ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଉପରମୁଣ୍ଡ କ୍ୟାଚ୍ମେଣ୍ଟ୍ ଅଞ୍ଚଳରୁ ଆସୁଥିବା ଜଳପ୍ରବାହକୁ ନଜରରେ ରଖି ପ୍ରଶାସନିକ ସତର୍କତା ସ୍ୱରୂପ ଜଳାଶୟର ୬ ନମ୍ବର ଗେଟ୍କୁ ୦.୫ ମିଟର ଖୋଲାଯାଇଛି।
ଡ୍ୟାମ୍ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ ମିଟର , ଗେଟ୍ ଖୋଲିବା ସମୟରେ ଜଳସ୍ତର ୬୪୦.୨୯ ମିଟର। ଜଳାଶୟକୁ ପ୍ରତି ସେକେଣ୍ଡରେ ୧୭୭.୫୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ, ଗେଟ୍ ଖୋଲିବା ପରେ ମୋଟ ନିଷ୍କାସନ ପରିମାଣ ୨୭୫.୨୮ କ୍ୟୁସେକ୍କୁ ବୃଦ୍ଧି ପାଇଛି।
ଜଳାଶୟର ଜଳସ୍ତର ହ୍ରାସ ପାଇ ୬୩୯.୬୦ ମିଟରରେ ପହଞ୍ଚିଲେ ଗେଟ୍ଟିକୁ ବନ୍ଦ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ବର୍ଷାର ପରିମାଣକୁ ଦୃଷ୍ଟିରେ ରଖି ଅଧିକ ଗେଟ୍ ଖୋଲାଯିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ।
ଦୀର୍ଘ ବର୍ଷ ପରେ ଇନ୍ଦ୍ରାବତୀର ଗେଟ୍ ଖୋଲାଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି। ନଦୀ ଅବବାହିକା ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ନଦୀ ମଧ୍ୟକୁ ନଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି।




