ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ହେଉଥିବା ପାଣିପାଗ ନିୟାମକ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ କଡ଼ା ଚେତାବନୀ ଜାରି କରାଯାଇଛି।
ପାଣିପାଗ ବିଭାଗର ତାଜା ଖବର ଅନୁଯାୟୀ, ସେପ୍ଟେମ୍ବର ୨୦ ରୁ ୨୨ ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ପ୍ରତିକୂଳ ପାଣିପାଗ ସୃଷ୍ଟି ହୋଇଛି। ଏହି ନିୟାମକ କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସମେତ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସେପ୍ଟେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ଅଧିକ ସକ୍ରିୟ ରହିବ।
ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀମାନଙ୍କୁ ସେପ୍ଟେମ୍ବର ୨୧ ତାରିଖ ସନ୍ଧ୍ୟା ସୁଦ୍ଧା ସୁରକ୍ଷିତ ଭାବେ ଉପକୂଳକୁ ଫେରିଆସିବା ପାଇଁ ପରାମର୍ଶ ଦିଆଯାଇଛି।
ପବନର ବେଗ ଓ ସମୁଦ୍ରର ସ୍ଥିତି
ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ:
- ସେପ୍ଟେମ୍ବର ୨୧: ପୂର୍ବ-କେନ୍ଦ୍ରୀୟ ଓ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୫ ରୁ ୫୫ କିମି ବେଗରେ ପବନ ବହିବ, ଯାହା ମଝିରେ ମଝିରେ ଝଟକା ସହ ୬୫ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।
- ସେପ୍ଟେମ୍ବର ୨୨:କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ବୃଦ୍ଧି ପାଇ ୫୦ ରୁ ୬୦ କିମି (ଝଟକା ୭୦ କିମି) ଏବଂ ଉତ୍ତର ଓ ଦକ୍ଷିଣ ବଙ୍ଗୋପସାଗରର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ୪୦ ରୁ ୫୦ କିମି (ଝଟକା ୬୦ କିମି) ରହିବ।
ସମୁଦ୍ରର ସ୍ଥିତି ଅତ୍ୟନ୍ତ ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ କୌଣସି ପରିସ୍ଥିତିରେ ବି ସମୁଦ୍ର ମଧ୍ୟକୁ ନଯିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।




