ନାଗୋୟା: ଏସୀୟ କ୍ରୀଡା ଇତିହାସରେ ସଫ୍ଟ ଟେନିସରେ ଭାରତ ପାଇଁ ପ୍ରଥମ ପଦକ ଜିତି ନୂତନ ଇତିହାସ ରଚିଛନ୍ତି ଜୟ ମୀନା। ବୁଧବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଜାପାନର ତାକୁୟା କୁରୋସାକାଙ୍କ ନିକଟରୁ ୨-୪ ରେ ପରାସ୍ତ ହୋଇ ସେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ତେବେ ସେମିଫାଇନାଲ ପହଞ୍ଚିବା ସହ ସେ ଦେଶ ପାଇଁ ଏହି ଐତିହାସିକ ସଫଳତା ସୁନିଶ୍ଚିତ କରିଥିଲେ।

ସେମିଫାଇନାଲ ପୂର୍ବରୁ କ୍ୱାଟରଫାଇନାଲ ମ୍ୟାଚ୍‌ରେ ଜୟ ଏକ ସେନ୍ସେସନାଲ ପ୍ରତ୍ୟାବର୍ତ୍ତନ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଫିଲିପାଇନ୍ସର ସେରୱିନ୍ ନୁଗୁଇଟଙ୍କ ବିପକ୍ଷ ମ୍ୟାଚ୍‌ର ନିର୍ଣ୍ଣାୟକ ଗେମ୍‌ରେ ସେ ୩-୫ ରେ ପଛୁଆ ରହିଥିଲେ। ମାତ୍ର ସେଠାରୁ ଲଗାତାର ୪ଟି ପଏଣ୍ଟ ହାସଲ କରି ସେ ୪-୩ ଗେମ୍‌ରେ ବିଜୟୀ ହୋଇ ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲେ।

ଜୟ ମୀନାଙ୍କ ସଫ୍ଟ ଟେନିସ ଯାତ୍ରା ଆରମ୍ଭ ହୋଇଥିଲା ଏକ ସଂଯୋଗରୁ। ପ୍ରଥମେ ସେ କ୍ରିକେଟର ହେବାକୁ ସ୍ୱପ୍ନ ଦେଖୁଥିଲେ। ଦେୱାସସ୍ଥିତ ପାୟୋନିୟର ପବ୍ଲିକ ସ୍କୁଲରେ ପଢ଼ିବା ସମୟରେ ସେ ପ୍ରଥମ କରି ସଫ୍ଟ ଟେନିସ କୋର୍ଟ ଦେଖିଥିଲେ ଏବଂ କୌତୁହଳବଶତଃ ପ୍ରଥମେ ବଲ୍ ବୟ ଭାବେ କାମ କରିବା ଆରମ୍ଭ କରିଥିଲେ।

ଧୀରେ ଧୀରେ ସେ ଏହି ଖେଳ ପ୍ରତି ଆକୃଷ୍ଟ ହୋଇ ଖେଳିବା ଆରମ୍ଭ କଲେ ଏବଂ ସ୍କୁଲ, ଜିଲ୍ଲା, ରାଜ୍ୟରୁ ଜାତୀୟ ସ୍ତରକୁ ଉନ୍ନୀତ ହେଲେ। ମାତ୍ର ୧୪ ବର୍ଷ ବୟସରେ ସେ ସଫ୍ଟ ଟେନିସର ଜନ୍ମଭୂମି ଜାପାନରେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିସାରିଥିଲେ।

ପ୍ରମୁଖ ସଫଳତା ଓ ବିଶ୍ୱ ଶୃଙ୍ଖଳା:

  • ୨୦୨୨ ଜାତୀୟ କ୍ରୀଡ଼ା: ଗୁଜରାଟରେ ଅନୁଷ୍ଠିତ ୩୬ତମ ଜାତୀୟ କ୍ରୀଡ଼ାରେ ପୁରୁଷ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ।
  • ୨୦୨୪ ବିଶ୍ୱ ସଫ୍ଟ ଟେନିସ ଚାମ୍ପିଅନସିପ୍: ଆଧ୍ୟା ତିୱାରୀଙ୍କ ସହ ମିଶି ମିଶ୍ରିତ ଡବଲ୍ସରେ ଭାରତର ପ୍ରଥମ ବ୍ରୋଞ୍ଜ ପଦକ।
  • ୨୦୨୫ ଏସୀୟ ସଫ୍ଟ ଟେନିସ ଚାମ୍ପିଅନସିପ୍:ପୁରୁଷ ସିଙ୍ଗଲ୍ସରେ ବ୍ରୋଞ୍ଜ ସହ ମୋଟ ୪ଟି ପଦକ ଜିତି ପ୍ରଥମ ଭାରତୀୟ ହେବାର ଗୌରବ।
  • ୨୦୨୫ ଜାତୀୟ ଚାମ୍ପିଅନସିପ୍: ପୁରୁଷ ସିଙ୍ଗଲ୍ସରେ ଜାତୀୟ ଚାମ୍ପିଅନ୍ ଆଖ୍ୟା।

ଜାକର୍ତ୍ତା ୨୦୧୮, ହାଙ୍ଗଝୁ ୨୦୨୨ ପରେ ଏହା ତାଙ୍କର ତୃତୀୟ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଥିଲା। ତାଙ୍କର ଏହି ଐତିହାସିକ ବ୍ରୋଞ୍ଜ ପଦକ ଭାରତୀୟ ସଫ୍ଟ ଟେନିସ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି।