ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କପିଳାସ-ଟଙ୍ଗୀ ରାସ୍ତାରେ ଜଣେ ଯୁବକ ଓ ଯୁବତୀଙ୍କୁ ଅଟକାଇ ନିର୍ଯାତନା ଏବଂ ଆକ୍ରମଣ ଅଭିଯୋଗରେ ଗୋନ୍ଦିଆ ଥାନା ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ସଂକ୍ରାନ୍ତୀୟ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବ୍ୟାପକ ଜନଅସନ୍ତୋଷ ସୃଷ୍ଟି ହୋଇଥିଲା। ଘଟଣାରେ ଯୁବତୀଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଗିରଫ ଅଭିଯୁକ୍ତଙ୍କ ପରିଚୟ
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ:
- ବନିଆଗାଁର ସରୋଜ ନାୟକ।
- ବନିଆଗାଁର ସମୀର ନାୟକ।
- ମନ୍ଦାର ରାୟପୁରର ସଂଗ୍ରାମ ରଥ।
ପୁଲିସ ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧୮ ତାରିଖରେ ଯୁବକ ଓ ଯୁବତୀଜଣକ ନିଜ ବନ୍ଧୁମାନଙ୍କ ସହ କପିଳାସ ମନ୍ଦିର ଦର୍ଶନ ପାଇଁ ଆସିଥିଲେ। ଫେରିବା ବାଟରେ ସୋରିଷିଆପଦା ପଞ୍ଚାୟତର ଧନରଗଡ଼ା ଗାଁ ନିକଟରେ ଅନ୍ୟ ବନ୍ଧୁମାନଙ୍କୁ ଅପେକ୍ଷା କରି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ସମୟରେ କେତେକ ସ୍ଥାନୀୟ ଯୁବକ ସେମାନଙ୍କୁ ଅଟକାଇଥିଲେ।
ଅଭିଯୁକ୍ତମାନେ ଯୁବକ-ଯୁବତୀଙ୍କୁ ଗାଳିଗୁଲଜ କରିବା ସହ ନିର୍ଯାତନା ଦେଇ ମାଡ଼ ମାରିଥିଲେ। ଏହାସହ ଏହି ପୂରା ଘଟଣାର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ। ଭିଡିଓଟି ସାମ୍ନାକୁ ଆସିବା ପରେ ପୀଡ଼ିତା ଯୁବତୀ ଗୋନ୍ଦିଆ ଥାଣାରେ ଲିଖିତ ଅଭିଯୋଗ କରିଥିଲେ।
ଏହି ସଂକ୍ରାନ୍ତରେ ଢେଙ୍କାନାଳ ଏସପି ଅଭିନବ ସୋନକର କହିଛନ୍ତି ଯେ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇଛି। ଗୋନ୍ଦିଆ ଥାନାରେ ମାମଲା ରୁଜୁ କରାଯାଇ ପୁଲିସ ତଦନ୍ତ ଜାରି ରଖିଛି। ଏଥିରେ ସମ୍ପୃକ୍ତ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ସେ ନେଇ ମଧ୍ୟ ପୁଲିସ ତଦନ୍ତ କରୁଛି ଏବଂ ପୀଡ଼ିତଙ୍କୁ ସମସ୍ତ ଆବଶ୍ୟକୀୟ ଆଇନଗତ ସହାୟତା ଯୋଗାଇ ଦିଆଯାଉଛି।




