କଟକ: କଟକର ଐତିହାସିକ ବାରବାଟୀ ଷ୍ଟେଡିୟମ୍ରେ ଖେଳାଯାଉଥିବା ଓଡ଼ିଶା ଟି-୨୦ ଲିଗ୍ – ସିଏମ୍ ଟ୍ରଫି (Odisha T20 League – CM Trophy)ର ଏକ ରୋମାଞ୍ଚକର ମ୍ୟାଚ୍ରେ କଟକ ପାନ୍ଥର୍ସକୁ ୨୬ ରନ୍ରେ ପରାସ୍ତ କରିଛି କେନ୍ଦୁଝର ମାଇନର୍ସ। ଦ୍ରୁତ ବୋଲର ବାଗୀଶ ଶର୍ମାଙ୍କ ଘାତକ ବୋଲିଂ (୪ ୱିକେଟ୍) ଏବଂ ରାଜେଶ ଧୂପଡ଼ ଓ ସୁଜଲ ସିଂହଙ୍କ ଜବରଦସ୍ତ ଅର୍ଦ୍ଧଶତକୀୟ ପାଳି ବଳରେ କେନ୍ଦୁଝର ଏହି ଚିତ୍ତାକର୍ଷକ ବିଜୟ ହାସଲ କରିଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା କେନ୍ଦୁଝର ମାଇନର୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୮୭ ରନ୍ର ସମ୍ମାନଜନକ ସ୍କୋର ସଂଗ୍ରହ କରିଥିଲା।
ୱିକେଟକିପର ବ୍ୟାଟର ରାଜେଶ ଧୂପଡ଼ (୪୦ ବଲ୍ରୁ ୫୮ ରନ୍) ଏବଂ ଅଧିନାୟକ ଶୁଭ୍ରାଂଶୁ ସେନାପତି (୨୧ ବଲ୍ରୁ ୩୬ ରନ୍) ଦ୍ୱିତୀୟ ୱିକେଟ୍ ପାଇଁ ୮୨ ରନ୍ର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ସୁଜଲ ସିଂହଙ୍କ ବିସ୍ଫୋରକ ୪୨ ରନ୍ (୩୦ ବଲ୍) ବଳରେ କେନ୍ଦୁଝର ଶେଷ ଓଭରଗୁଡ଼ିକରେ ବଡ଼ ସ୍କୋର ନିର୍ମାଣ କରିଥିଲା। କଟକ ପାନ୍ଥର୍ସ ପକ୍ଷରୁ ବିପ୍ଲବ ସାମନ୍ତରାୟ ଶ୍ରେଷ୍ଠ ବୋଲିଂ କରି ୪ ଓଭରରେ ମାତ୍ର ୨୬ ରନ୍ ଦେଇ ୧ଟି ୱିକେଟ୍ ନେଇଥିଲେ।
୧୮୮ ରନ୍ର ବିଜୟ ଲକ୍ଷ୍ୟ ନେଇ କଟକ ପାନ୍ଥର୍ସ ଆରମ୍ଭରୁ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୪୮ ରନ୍ରେ ୩ଟି ୱିକେଟ୍ ହରାଇବା ପରେ ବିପ୍ଲବ ସାମନ୍ତରାୟ ଓ କାର୍ତ୍ତିକ ବିଶ୍ୱାଳ (୨୨ ରନ୍) ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ।
ତେବେ କେନ୍ଦୁଝରର ପେସ୍ ବୋଲର ବାଗୀଶ ଶର୍ମା ୩୩ ରନ୍ ଦେଇ ୪ଟି ମୂଲ୍ୟବାନ ୱିକେଟ୍ ଅକ୍ତିଆର କରି କଟକର ବିଜୟ ଆଶାରେ ପାଣି ପକାଇ ଦେଇଥିଲେ। ଶେଷରେ କଟକ ପାନ୍ଥର୍ସ ୧୬୧ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ବାଗୀଶ ଶର୍ମାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା।




