ବଲାଙ୍ଗୀର: ଉଚ୍ଚକୋଟୀର ଅଭିନୟ ଓ ସଙ୍ଗୀତ କଳା ମାଧ୍ୟମରେ ଦର୍ଶକଙ୍କ ନିକଟତର ହୋଇଥିବା ଲୋକପ୍ରିୟ ସମ୍ବଲପୁରୀ ଆଲବମ୍ ଆର୍ଟିଷ୍ଟ ଜସମିନ୍ ମାଝୀ ଙ୍କ ଅକାଳ ବିୟୋଗ ଘଟିଛି। ବୁର୍ଲା ଭୀମସାର ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବଲାଙ୍ଗୀର ଜିଲ୍ଲାସ୍ଥିତ ନିଜ ଗୃହରେ ସେ ଟାଇଲ୍ସ ସଫା କରିବା ପାଇଁ ରଖାଯାଇଥିବା ଆସିଡ୍‌ ପିଇ ଦେଇଥିବା ଅଭିଯୋଗ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଜସମିନ୍ ଜଣେ ବହୁମୁଖୀ ପ୍ରତିଭାସମ୍ପନ୍ନ କଳାକାର ଥିଲେ। ସେ ବହୁ ସମ୍ବଲପୁରୀ ମ୍ୟୁଜିକ୍ ଆଲବମ୍‌ରେ ମୁଖ୍ୟ ଅଭିନେତ୍ରୀ ଭାବେ କାର୍ଯ୍ୟ କରିବା ସହ ଜଣେ ସଂକୀର୍ତ୍ତନ ଗାୟିକା ଭାବେ ମଧ୍ୟ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଥିଲେ।

ଗତ ସେପ୍ଟେମ୍ବର ୨୫ ତାରିଖ ଅପରାହ୍ନରେ ସେ ନିଜ ବାସଭବନରେ ରଖାଯାଇଥିବା ଟାଇଲ୍ସ ସଫା ଆସିଡ୍‌ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଖପ୍ରାଖୋଲ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଏବଂ ପରେ ବୁର୍ଲା ଭୀମସାର୍‌କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଏହି ଘଟଣାରେ ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଜାସମିନ୍‌ ଆସିଡ୍‌ ପିଇବାର ସଠିକ୍‌ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମ୍ବଲପୁରୀ କଳା ଜଗତ, ତାଙ୍କର ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି।

ସୋସିଆଲ ମିଡିଆରେ ଚର୍ଚ୍ଛା ହେଉଛି ଯେ, କିଛି ଦିନ ପୂର୍ବରୁ ତାଙ୍କ ପୁରୁଷ ବନ୍ଧୁ ଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା, ଯାହା ପରେ ସେ ମାନସିକ ଚାପରେ ଥିଲେ। ତେବେ ଏହି ଦାବିର କୌଣସି ଆଧିକାରିକ ସତ୍ୟତା ପ୍ରଶାସନ କିମ୍ବା ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।