ଡେରାଡୁନ୍: ଖରାପ ପାଣିପାଗ ଯୋଗୁଁ ବିଗତ ଦୁଇ ଦିନ ଧରି ସ୍ଥଗିତ ରହିଥିବା ପ୍ରସିଦ୍ଧ ‘ଚାରିଧାମ ଯାତ୍ରା’ ସୋମବାର ସକାଳୁ ପୁନର୍ବାର ଆରମ୍ଭ ହୋଇଛି। ପାଣିପାଗରେ ସୁଧାର ଆସିବା ପରେ ଦେଶବିଦେଶରୁ ଆସିଥିବା ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ପୁଣି ଥରେ ନିଜର ପବିତ୍ର ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି।

ଋଷିକେଶସ୍ଥିତ ଚାରିଧାମ ଯାତ୍ରା ନିୟନ୍ତ୍ରଣ ସଂସ୍ଥାର ନିର୍ଦ୍ଦେଶକ୍ରମେ ଗଡ଼ୱାଲ କମିଶନର ଆନନ୍ଦ ସ୍ୱରୂପ ଏହି ସ୍ଥଗିତାଦେଶ ହଟାଇବା ସହ ଶ୍ରଦ୍ଧାଳୁଙ୍କୁ ଶ୍ରୀକେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଦର୍ଶନ ପାଇଁ ଅନୁମତି ଦେଇଛନ୍ତି।

ପାଣିପାଗ ବିଭାଗର ‘ରେଡ୍ ଆଲର୍ଟ’ ଏବଂ ପ୍ରବଳ ବର୍ଷା ଯୋଗୁଁ ସେପ୍ଟେମ୍ବର ୨୬ରୁ ୨୭ ପର୍ଯ୍ୟନ୍ତ ଯାତ୍ରା ବନ୍ଦ ରହିଥିଲା। ଶନିବାର ଚାମୋଲିର ହେମକୁଣ୍ଡ ସାହିବରେ ଚଳିତ ଋତୁର ପ୍ରଥମ ତୁଷାରପାତ ହୋଇଥିଲା। ଉତ୍ତରକାଶୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଆଡ଼କୁ ଯାଉଥିବା ତୀର୍ଥଯାତ୍ରୀଙ୍କୁ ‘ହିନା’ ଏବଂ ‘ଦୋବାଟା’ ଟ୍ରାଞ୍ଜିଟ୍ କ୍ୟାମ୍ପ୍‌ରେ ସୁରକ୍ଷିତ ଅଟକାଇ ରଖାଯାଇଥିଲା।

ଗଡ଼ୱାଲ କମିଶନର ସମ୍ବାଦଦାତାଙ୍କୁ ସୂଚନା ଦେଇ କହିଛନ୍ତି ଯେ, ସମସ୍ତ ଜିଲ୍ଲା ପ୍ରଶାସନକୁ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ କୁହାଯାଇଛି।

ପ୍ରବଳ ବର୍ଷା, ଭୂସ୍ଖଳନ କିମ୍ବା ରାସ୍ତା ଅବରୋଧ ହେଲେ ସମ୍ପୃକ୍ତ ଜିଲ୍ଲାପାଳ ମାନେ ନିଜ ସ୍ତରରେ ଯାତ୍ରାକୁ ଅସ୍ଥାୟୀ ଭାବେ ରୋକିବା ପାଇଁ ସ୍ୱତନ୍ତ୍ର ନିଷ୍ପତ୍ତି ନେଇପାରିବେ। ସୁରକ୍ଷା ଦୃଷ୍ଟିରୁ ସମସ୍ତ ନୋଡାଲ ଅଫିସରଙ୍କୁ ସତର୍କ ରଖାଯାଇଛି। ତୀର୍ଥଯାତ୍ରୀମାନେ ପାଣିପାଗ ସୂଚନା ଯାଞ୍ଚ କରିବା ସହ ପ୍ରଶାସନିକ ନିୟମାବଳୀ ପାଳନ କରି ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି।