ଭୁବନେଶ୍ୱର: ଖଣି ଓ ଖଣିଜ (ସଂଶୋଧନ) ଆଇନ, ୨୦୨୬ (MMDR Amendment Act, 2026) କୁ ନେଇ ସୋମବାର ଓଡ଼ିଶା ରାଜନୀତି ଗରମ ହୋଇଉଠିଛି। ଗୃହ ମଧ୍ୟରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ବିଧାନସଭା ଅଚଳ ହୋଇପଡ଼ିଥିବା ବେଳେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ।
ଶୂନ୍ୟକାଳରେ ଏହି ବିବାଦୀୟ ଆଇନକୁ ନେଇ ବିରୋଧୀଙ୍କ ନାରାବାଜି ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିବା ବେଳେ ଗାନ୍ଧୀମାର୍ଗରେ ହଜାର ହଜାର ବିଜେଡି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ବିକ୍ଷୋଭ ରାଲିରେ ଯୋଗଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି।ଏହି ଆଇନ ଓଡ଼ିଶାର ଖଣିଜ ସମ୍ପଦ ଏବଂ ପ୍ରାକୃତିକ ସମ୍ପତ୍ତି ଉପରେ ଥିବା ଅଧିକାରକୁ ଛଡ଼ାଇ ନେବା ପାଇଁ ଏକ ସିଧାସଳଖ ଷଡ଼ଯନ୍ତ୍ର ବୋଲି ନବୀନ କହିଛନ୍ତି।
ସେ କହିଛନ୍ତି ଯେ, ଏହା କେବଳ ରାଜନୈତିକ ପ୍ରତିବାଦ ନୁହେଁ, ବରଂ ଓଡ଼ିଶାର ୪.୫ କୋଟି ଜନସାଧାରଣ ଏବଂ ଆଗାମୀ ପିଢ଼ିର ଭବିଷ୍ୟତ ସୁରକ୍ଷା ପାଇଁ ଲଢ଼େଇ। ସଂସଦରେ ବିନା ଆଲୋଚନାରେ ଏହି ଆଇନ ପାରିତ ହୋଇଥିବାରୁ ଏହାଦ୍ୱାରା ଓଡ଼ିଶା ବାର୍ଷିକ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଇବ। ରାଜ୍ୟର ବିଜେପି ସାଂସଦ ଓ ସରକାରଙ୍କ ନୀରବତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଏହି ଆଇନ ବିରୋଧରେ ସଙ୍କଳ୍ପ ପାରିତ କରିବାକୁ ସେ ଦେଇଥିବା ପ୍ରସ୍ତାବକୁ ସରକାର ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି। ନବୀନ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥଠାରୁ କୌଣସି ଦଳ କିମ୍ବା ପଦବୀ ବଡ଼ ନୁହେଁ। ନିଜର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ହକ୍ ପାଇଁ ଲଢ଼େଇ ଜାରି ରଖିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।




