ଭୁବନେଶ୍ୱର: ଓଡ଼ିଶାରେ ପାନ ମସଲା, ଗୁଟ୍‌ଖା, ସିଗାରେଟ୍‌, ବିଡ଼ି ଏବଂ ଅନ୍ୟାନ୍ୟ ତମାଖୁ ସାମଗ୍ରୀରୁ ରାଜ୍ୟ ସରକାର ପ୍ରଚୁର ରାଜସ୍ୱ ପାଉଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ସରକାର ଏହିସବୁ ସାମଗ୍ରୀ ବିକ୍ରିରୁ ୧,୨୩୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ରାଜସ୍ୱ ଆଦାୟ କରିଛନ୍ତି। ସୋମବାର ଓଡ଼ିଶା ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ, ରାଜ୍ୟରେ ବିକ୍ରି ହେଉଥିବା ପାନ ମସଲା ଓ ତମାଖୁ ଜାତୀୟ ଦ୍ରବ୍ୟ ଉପରେ ମୂଲ୍ୟଯୁକ୍ତ କର (VAT) ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କର ଲାଗୁ କରାଯାଉଛି। ବିଗତ ୧୦ ବର୍ଷର ରାଜସ୍ୱ ଆଦାୟ ସମ୍ପର୍କିତ ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇଛି।

୨୦୧୬-୧୭ ଆର୍ଥିକ ବର୍ଷରେ ୨୬୪.୫୧ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ୨୦୧୮-୧୯ରେ ଏହା ୪୮୦.୭୧ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୧୯-୨୦ରେ ୬୦୯.୯୦ କୋଟି, ୨୦୨୦-୨୧ରେ ୭୧୧.୨୩ କୋଟି, ୨୦୨୧-୨୨ରେ ୮୭୬.୬୩ କୋଟି, ୨୦୨୨-୨୩ରେ ୮୮୯.୪୨ କୋଟି ଏବଂ ୨୦୨୩-୨୪ରେ ୧,୦୧୨.୫୬ କୋଟି ଟଙ୍କା ଆଦାୟ ହୋଇଥିଲା।

ସରକାରୀ ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚି ମୋଟ ୧,୨୩୪.୮୮ କୋଟି ଟଙ୍କା ସଂଗୃହୀତ ହୋଇଛି। ସେହିପରି ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ସରକାର ୮୮୫.୪୫ କୋଟି ଟଙ୍କାର ରାଜସ୍ୱ ପାଇସାରିଛନ୍ତି।

ଗୃହରେ ଉପସ୍ଥାପିତ ଏହି ସାଂଖ୍ୟିକ ତଥ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ରାଜ୍ୟରେ ବର୍ଷକୁ ବର୍ଷ ତମାଖୁ ଏବଂ ପାନ ମସଲା ସାମଗ୍ରୀର ବିକ୍ରି ଓ ଏଥିରୁ ମିଳୁଥିବା ସରକାରୀ ରାଜସ୍ୱ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି।