ବେଙ୍ଗାଲୁରୁ: AIଚାଳିତ ଟ୍ରାଫିକ୍ କ୍ୟାମେରାର ଏକ ଅଜବ ଭୁଲ୍ ଯୋଗୁଁ ଜଣେ ବ୍ୟକ୍ତି ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଛନ୍ତି। ହେଲମେଟ୍ ପିନ୍ଧି ଏକାକୀ ସ୍କୁଟର ଚଲାଉଥିବା ସତ୍ତ୍ୱେ ବେଙ୍ଗାଲୁରୁର ସୌଭିକ୍ ଦତ୍ତ ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ୫୦୦ ଟଙ୍କାର ଟ୍ରାଫିକ୍ ଚାଲାଣ ଆସିଥିଲା। ପରେ ଜଣାପଡ଼ିଥିଲା ଯେ, ପିଠିରେ ବନ୍ଧା ହୋଇଥିବା ଗିଟାର୍ କୁ ଏଆଇ କ୍ୟାମେରା ଜଣେ ବିନା ହେଲମେଟ୍ଧାରୀ ପଛ ଯାତ୍ରୀ ଭାବି ଭୁଲ୍ରେ ନୋଟିସ୍ ଜାରି କରିଦେଇଛି।
ସୌଭିକ୍ ନିଜ ସ୍ତ୍ରୀଙ୍କ ଦୁଇଚକିଆ ଯାନରେ ଗିଟାର୍ଟିକୁ ପିଠିରେ ବାନ୍ଧି ଯାଉଥିବା ସମୟରେ AI-ଆଧାରିତ ଟ୍ରାଫିକ୍ ମନିଟରିଂ ସିଷ୍ଟମ୍ ଦ୍ୱାରା ଏହି ଫଟୋ କ୍ୟାପଚର ହୋଇଥିଲା।
ଏହି ଅଜବ ଘଟଣା ସମ୍ପର୍କରେ ସୌଭିକ୍ ‘X’ (ପୂର୍ବର ଟ୍ୱିଟର) ରେ ପୋଷ୍ଟ କରି ବେଙ୍ଗାଲୁରୁ ଟ୍ରାଫିକ୍ ପୋଲିସକୁ ଟ୍ୟାଗ୍ କରିଥିଲେ।
ସେ ଲେଖିଥିଲେ:
“ମୁଁ ବେଙ୍ଗାଲୁରୁରେ ପିଠିରେ ଗିଟାର୍ ବାନ୍ଧି ଏକାକୀ ସ୍ତ୍ରୀଙ୍କ ସ୍କୁଟର ଚଲାଉଥିଲି, କିନ୍ତୁ ମୋତେ ଚାଲାଣ ପଠାଯାଇଛି।”
ଏହି ପୋଷ୍ଟଟି ସୋସିଆଲ ମିଡିଆରେ ପୋଷ୍ଟ ହେବା କ୍ଷଣି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବେଙ୍ଗାଲୁରୁ ଟ୍ରାଫିକ୍ ପୋଲିସ ତୁରନ୍ତ ଏହାର ପ୍ରତିକ୍ରିୟା ଦେଇ ଘଟଣାର ସତ୍ୟାସତ୍ୟ ସ୍ୱୀକାର କରିଥିଲା ଏବଂ ସୌଭିକ୍ଙ୍କୁ ଏହି ଭୁଲ୍ ଚାଲାଣକୁ ବାତିଲ (Reverse) କରିବା ପାଇଁ ଆବଶ୍ୟକ ପ୍ରକ୍ରିୟା କରିବାକୁ ଅନୁରୋଧ କରିଥିଲା।




