ପୁରୀ: ଓଡ଼ିଶାର ବିଶିଷ୍ଟ କୁମ୍ଭକାର ତଥା ମାଟି କଳାର ଅନନ୍ୟ ଶିଳ୍ପୀ ଲକ୍ଷ୍ମୀଧର ବିଶୋଇଙ୍କର ମଙ୍ଗଳବାର ସକାଳେ ପରଲୋକ ଘଟିଛି। ଗତକାଲି ବିଳମ୍ବିତ ରାତିରେ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ମାଟିରେ ଅନନ୍ୟ କଳାକୃତି ସୃଷ୍ଟି କରିବା ପାଇଁ ଶ୍ରୀ ବିଶୋଇ ରାଜ୍ୟ ଏବଂ ରାଜ୍ୟ ବାହାରେ ଅନେକ ସମ୍ମାନ ଓ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ସେ ଏହି ପିଢ଼ିର ଶେଷ ପ୍ରମୁଖ କୁମ୍ଭାରମାନଙ୍କ ମଧ୍ୟରୁ ଜଣେ ଥିଲେ, ଯିଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ‘ଅଧର ହାଣ୍ଡି’ ନିର୍ମାଣରେ ବିଶେଷ ପାରଦର୍ଶିତା ହାସଲ କରିଥିଲେ।
ତାଙ୍କର ପ୍ରୟାଣ କେବଳ କୁମ୍ଭାରପଡ଼ା ନୁହେଁ, ପୁରୀର ପାରମ୍ପରିକ ମାଟି କଳା ଓ ସଂସ୍କୃତି ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାରା କୁମ୍ଭାରପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ରାତିରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ଓ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯିବ। ଅନେକ ବିଶିଷ୍ଟ ବ୍ୟକ୍ତି ଓ ସଂସ୍କୃତିପ୍ରେମୀ ତାଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି।




