ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଆମ୍ ଆଦମୀ ପାର୍ଟି (AAP) ର ଦିଲ୍ଲୀ ପ୍ରଦେଶ ସଭାପତି ସୌରଭ ଭାରଦ୍ୱାଜଙ୍କ ସମେତ ଅନେକ ପାର୍ଟି କର୍ମୀଙ୍କୁ ଦିଲ୍ଲୀ ପୋଲିସ ଶୁକ୍ରବାର ଅଟକ ରଖିଛି। ଜନ୍ତର ମନ୍ତରଠାରେ ଆୟୋଜିତ ଏହି ଆନ୍ଦୋଳନ ସମୟରେ ପୋଲିସ ସେମାନଙ୍କୁ ହାଜତକୁ ନେଇଛି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭାରଦ୍ୱାଜ କହିଛନ୍ତି ଯେ, “ସମଗ୍ର ଦିଲ୍ଲୀକୁ ଏକ ଦୁର୍ଗରେ ପରିଣତ କରାଯାଇଛି, ଯେପରି ମହମୁଦ ଗଜନୀ ଆକ୍ରମଣ କରିବାକୁ ଯାଉଛନ୍ତି। ମୁଁ ବିନା ଗାଡ଼ି, ବିନା ଘୋଡ଼ା ଓ ବିନା ସାଥୀରେ ଏଠାରେ ପହଞ୍ଚିଛି। ମେଟ୍ରୋ ପାଇଁ ୧୧ ଟଙ୍କା ଓ ଅଟୋ ଭାଡ଼ା ୮୦ ଟଙ୍କା ଦେଇ ମୋଟ ୯୧ ଟଙ୍କାରେ ଜନ୍ତର ମନ୍ତର ପହଞ୍ଚିପାରିଲି, ତେଣୁ ସମସ୍ତ ଯୁବକ ଓ ସାଥୀମାନେ ମଧ୍ୟ ଏଠାରେ ପହଞ୍ଚି ପାରିବେ”।

ଧାରା ୧୬୩ ଲାଗୁ, ନିର୍ବାଚନ କମିଶନଙ୍କ ବିରୋଧରେ ଅଭିଯୋଗ

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାରେ ଅନିୟମିତତା ନେଇ ଆହୂତ ଏହି ବିକ୍ଷୋଭ ପାଇଁ ଦିଲ୍ଲୀ ପୋଲିସ ଅନୁମତି ଦେଇନଥିଲା। ନୂଆଦିଲ୍ଲୀ ଜିଲ୍ଲାରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା ୧୬୩ ଲାଗୁ କରାଯାଇଛି। ସାଧାରଣ ସଭା, ଶୋଭାଯାତ୍ରା, ଧାରଣା ଓ ନାରାବାଜି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି।ଜନ୍ତର ମନ୍ତର ନିକଟରେ କଡ଼ା ପୋଲିସ ସୁରକ୍ଷା ବ୍ୟବସ୍ଥା ସହ ବ୍ୟାରିକେଡ୍ ଲଗାଯାଇଛି।

‘ଲୋକତନ୍ତ୍ର ବଞ୍ଚାଓ’ ଅଭିଯାନ ଆରମ୍ଭ କରିବେ ବିରୋଧୀ

ଏହି ଆନ୍ଦୋଳନରେ ଆପ୍ ବ୍ୟତୀତ କଂଗ୍ରେସ, ଆରଜେଡି ଏବଂ ଆଇସା (AISA), ଏସଏଫଆଇ (SFI) ଭଳି ଛାତ୍ର ସଂଗଠନ ଓ ସିଭିଲ ସୋସାଇଟି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ଭୋଟର ତାଲିକା ସଂଶୋଧନରେ “ଭୋଟ ଚୋରି” ଅଭିଯୋଗ ଆଣି ବିରୋଧୀ ଦଳଗୁଡ଼ିକ ‘ଲୋକତନ୍ତ୍ର ବଞ୍ଚାଓ’ ଅଭିଯାନ ଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଜିଲ୍ଲା ସ୍ତରୀୟ ପଦଯାତ୍ରା କରାଯିବା ସହ ଅକ୍ଟୋବର ୬ ତାରିଖରେ ନିର୍ବାଚନ କମିଶନ ଅଫିସ ଆଗରେ ଏକ ବିଶାଳ ରାଲି ଆୟୋଜନ କରାଯିବ। ଅପରପକ୍ଷରେ, ନିର୍ବାଚନ କମିଶନ ନିୟମାନୁସାରେ ହିଁ ସମସ୍ତ କାର୍ଯ୍ୟ କରାଯାଉଥିବା ସ୍ପଷ୍ଟ କରିଛନ୍ତି।