ଭୁବନେଶ୍ୱର: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ର ବାର୍ଷିକ ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ହୋଇଛି। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀସ୍ଥିତ ରାଜ ପଡ଼ିଆରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ପଦଯାତ୍ରାର ଉଦ୍ଘାଟନ କରିଛନ୍ତି। ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଗାଁ, ୱାର୍ଡ, ବ୍ଲକ୍ ଓ ଜିଲ୍ଲା ସ୍ତରରେ ଦଳୀୟ ନେତା ଓ କର୍ମୀମାନେ ଲୋକଙ୍କ ପାଖକୁ ଯାଇ ଜନସମ୍ପର୍କ କରିବେ।
ଉଦ୍ବୋଧନ ଦେଇ ନବୀନ କହିଛନ୍ତି ଯେ, ବିଜେଡି ନିଜର ଜନହିତକର କାର୍ଯ୍ୟ ପାଇଁ ସଦାସର୍ବଦା ଓଡ଼ିଶାବାସୀଙ୍କ ହୃଦୟରେ ରହିଛି ଏବଂ ଆଗକୁ ମଧ୍ୟ ରହିବ।
ରାଜ୍ୟର ବର୍ତ୍ତମାନର ପରିସ୍ଥିତିକୁ ନେଇ ମୋହନ ମାଝୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିଜେଡି ସଭାପତି। ସେ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ଏବେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି ଏବଂ ସରକାର ନିଜକୁ ‘ଲୋକଙ୍କ ସରକାର’ କହୁଥିଲେ ବି ଲୋକଙ୍କ ସମସ୍ୟା ଶୁଣିବାକୁ କେହି ନାହାନ୍ତି।
ନବୀନଙ୍କ ମୁଖ୍ୟ ଅଭିଯୋଗ ହେଉଛି ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟପୁସ୍ତକ ଅଭାବ, ବୃଦ୍ଧବୃଦ୍ଧାଙ୍କ ପେନ୍ସନ୍ ସମସ୍ୟା, ଚାଷୀ ଓ ମହିଳାଙ୍କ ଅସୁବିଧା ଏବଂ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବା। ରଥଯାତ୍ରା ପରିଚାଳନା, ବନ୍ୟା ରିଲିଫ୍, ଧାନ ସଂଗ୍ରହ ଏବଂ ନିଯୁକ୍ତି ପରୀକ୍ଷା ଆୟୋଜନରେ ସରକାର ବିଫଳ ହୋଇଛନ୍ତି। ରାଜସ୍ୱ ସଂଗ୍ରହ କମୁଥିବା ଓ ବଜେଟ୍ ଅର୍ଥ ଖର୍ଚ୍ଚ ହୋଇପାରୁନଥିବା ସତ୍ତ୍ୱେ ରାଜ୍ୟର ଋଣଭାର ବଢ଼ୁଛି। “ଟଙ୍କା ଯାଉଛି କୁଆଡ଼େ?” ବୋଲି ସେ ପ୍ରଶ୍ନ କରିଛନ୍ତି।
ଖଣି ସମ୍ପଦ ଉପରେ ଓଡ଼ିଶାବାସୀଙ୍କ ଅଧିକାର କ୍ଷୁଣ୍ଣ ହେଉଥିବା ଦାବି କରି ନବୀନ କହିଛନ୍ତି ଯେ, ଏହି ମୁଦ୍ଦାରେ ରାଜ୍ୟ ସରକାର ନୀରବ ଅଛନ୍ତି ଏବଂ ୨୦ ଜଣ ବିଜେପି ସାଂସଦ ମଧ୍ୟ ସ୍ୱର ଉଠାଉନାହାନ୍ତି। ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଓଡ଼ିଶାର ସ୍ୱାର୍ଥ ପାଇଁ ସଂଗ୍ରାମ ଜାରି ରଖିବାକୁ ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଦେବୀ ପ୍ରସାଦ ମିଶ୍ର, ଅଶୋକ ପଣ୍ଡା, ଅନନ୍ତ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।




