ୱାଶିଂଟନ: ଫ୍ଲାଏଦୁବାଇ ଯାତ୍ରୀବାହୀ ବିମାନରେ ହୋଇଥିବା ବିପଜ୍ଜନକ ଚକ୍ରାନ୍ତ ଓ ଆକ୍ରମଣ ଘଟଣା ପଛରେ ଯଦି ଇରାନର ହାତ ଥିବା ପ୍ରମାଣିତ ହୁଏ, ତେବେ ତାହାକୁ କଠୋର ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୱାଇଟ୍‌ ହାଉସ୍‌ରୁ ଟେକ୍ସାସ୍‌ ଗସ୍ତ କରିବା ପୂର୍ବରୁ ସାମ୍ବାଦିକମାନଙ୍କ ସହ କଥା ହୋଇ ଟ୍ରମ୍ପ କହିଛନ୍ତି ଯେ, ଏହି ଘଟଣାରେ ଇରାନର ସଂପୃକ୍ତି ଥାଇପାରେ ବୋଲି ଯେଉଁ ସୂଚନା ମିଳୁଛି, ତାହାର ଯାଞ୍ଚ ଚାଲିଛି।

ଇସ୍ରାଏଲ ଅଭିମୁଖେ ଯାଉଥିବା ଫ୍ଲାଏଦୁବାଇ ବିମାନର କୋ-ପାଇଲଟ୍‌ ଭାରତୀୟ କ୍ୟାପ୍ଟେନ୍‌ଙ୍କୁ ଆକ୍ରମଣ କରି ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଚେଷ୍ଟା କରିଥିଲେ। ସେହି ସନ୍ଦିଗ୍ଧ କୋ-ପାଇଲଟ୍‌ ଇରାନର ‘ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ’ ଦ୍ୱାରା ନିୟୋଜିତ କିମ୍ବା ଉଗ୍ରପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ହୋଇଥାଇପାରନ୍ତି କି ବୋଲି ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି, “ଏହା ହୋଇଥାଇପାରେ”। ତେବେ ଏ ବାବଦରେ ସମ୍ପୂର୍ଣ୍ଣ ସ୍ପଷ୍ଟ ପ୍ରମାଣ ଏପର୍ଯ୍ୟନ୍ତ ମିଳିନଥିବା ସେ ସ୍ୱୀକାର କରିଛନ୍ତି।

ସାମ୍ବାଦିକମାନେ ଯଦି ଇରାନର ସଂପୃକ୍ତି ପ୍ରମାଣିତ ହୁଏ ତେବେ ଆମେରିକାର ପଦକ୍ଷେପ କ’ଣ ହେବ ବୋଲି ପଚାରିବାରୁ ଟ୍ରମ୍ପ କହିଥିଲେ: “ସେମାନଙ୍କୁ କଠୋର ଜବାବ ଦିଆଯିବ। ସେମାନେ ଭଲ ଭାବରେ ଜାଣିଛନ୍ତି କ’ଣ ଘଟିଛି।।” ଇରାନର ଅର୍ଥନୀତି ଭୁଶୁଡ଼ି ପଡ଼ିଛି ବୋଲି ଦାବି କରି ଟ୍ରମ୍ପ କହିଛନ୍ତି ଯେ ସେଠାରେ ୩୦୧ ପ୍ରତିଶତ ମୁଦ୍ରାସ୍ଫୀତି ରହିଛି, ସେମାନଙ୍କ ମୁଦ୍ରାର କୌଣସି ମୂଲ୍ୟ ନାହିଁ ଏବଂ ସେମାନଙ୍କ ପ୍ରତିରକ୍ଷା ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି। ହୋରମୁଜ୍ ପ୍ରଣାଳୀ ଉପରେ ଆମେରିକାର ନିୟନ୍ତ୍ରଣ ରହିଛି ଏବଂ ଯୁଦ୍ଧ ପୂର୍ବ ଅପେକ୍ଷା ଏବେ ସେଠାରୁ ଅଧିକ ତୈଳ ପରିବହନ କରାଯାଉଛି।

ଆମେରିକୀୟ ନୌସେନା ଓ ସେନାର ପରାକ୍ରମକୁ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି ଯେ, ଇରାନ ନିକଟରେ ଦୁଇଟି ବିକଳ୍ପ ରହିଛି ସେମାନେ ଏକ ଉଚିତ୍ ଚୁକ୍ତିରେ ସ୍ୱାକ୍ଷର କରନ୍ତୁ, ନଚେତ୍ ସେମାନଙ୍କର ଅସ୍ତିତ୍ୱ ରହିବ ନାହିଁ। ଇରାନକୁ କୌଣସି ପରିସ୍ଥିତିରେ ବି ଆଣବିକ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ ବୋଲି ସେ ଦୋହରାଇଛନ୍ତି।

ସୂଚନାଯୋଗ୍ୟ ଯେ, ଦୁବାଇରୁ ତେଲ୍‌‌ ଆଭିଭ୍‌ ଯାଉଥିବା ଫ୍ଲାଏଦୁବାଇ ବିମାନର କୋ-ପାଇଲଟ୍‌ କକ୍‌ପିଟ୍‌ରେ ଭାରତୀୟ କ୍ୟାପ୍ଟେନ୍‌ଙ୍କୁ ଆକ୍ରମଣ କରି ବିମାନକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଆହତ କ୍ୟାପ୍ଟେନ୍‌ ସାହସର ସହ କକ୍‌ପିଟ୍‌ କବାଟ ଖୋଲିବାରୁ ଯାତ୍ରୀମାନେ ଭିତରକୁ ଆସି ସନ୍ଦିଗ୍ଧ କୋ-ପାଇଲଟ୍‌କୁ କାବୁ କରିଥିଲେ ଏବଂ ବିମାନଟି ସୌଦି ଆରବରେ ସୁରକ୍ଷିତ ଜରୁରୀ ଅବତରଣ କରିଥିଲା। ବର୍ତ୍ତମାନ ବିଭିନ୍ନ ଦେଶର ତଦନ୍ତକାରୀ ସଂସ୍ଥା ଏହାର ଯାଞ୍ଚ ଚଳାଇଛନ୍ତି।