ଭୁବନେଶ୍ୱର: କୋରାପୁଟ-ଜଗଦଲପୁର-କିରଣ୍ଡୁଲ ରେଳପଥରେ ଭୂସ୍ଖଳନ ଯୋଗୁଁ ରେଳ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ରାୟଗଡ଼ା ରେଳ ମଣ୍ଡଳ ଅଧୀନସ୍ଥ ମାଲିଗୁଡ଼ା ଷ୍ଟେସନ ନିକଟସ୍ଥ କୋରାପୁଟ-ଜୟପୁର ସେକ୍ସନରେ ପାହାଡ଼ରୁ ମାଟି ଓ ପଥର ଖସି ପଡ଼ିବାରୁ ରେଳ ଚଳାଚଳ ବନ୍ଦ ରହିଛି। ଯାତ୍ରୀଙ୍କ ସୁରକ୍ଷା ଓ ଟ୍ରାକ୍ ମରାମତି କାର୍ଯ୍ୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଏକାଧିକ ଟ୍ରେନ୍‌କୁ ବାତିଲ୍ କରାଯାଇଥିବା ବେଳେ କେତେକ ଟ୍ରେନ୍‌ର ଯାତ୍ରା ସୀମିତ କରାଯାଇଛି।

କେଉଁ ଟ୍ରେନ୍‌ କେବେ ବାତିଲ୍‌ ରହିବ?

ପୂର୍ବତଟ ରେଳବାଇ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ନିମ୍ନଲିଖିତ ଟ୍ରେନ୍‌ଗୁଡ଼ିକ ସମ୍ପୂର୍ଣ୍ଣ ବାତିଲ୍‌ ରହିବ:

  • ୧୮୫୧୫/୧୮୫୧୬ ବିଶାଖାପାଟଣା-କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ୍: ଅକ୍ଟୋବର ୪ ରୁ ୭ ତାରିଖ ପର୍ଯ୍ୟନ୍ତ ବାତିଲ୍ ରହିବ।
  • ୧୮୧୦୭ ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍: ଅକ୍ଟୋବର ୩ ରୁ ୭ ତାରିଖ ପର୍ଯ୍ୟନ୍ତ ବାତିଲ୍ ରହିବ।
  • ୧୮୧୦୮ ଜଗଦଲପୁର-ରାଉରକେଲା ଏକ୍ସପ୍ରେସ୍: ଅକ୍ଟୋବର ୪ ରୁ ୮ ତାରିଖ ପର୍ଯ୍ୟନ୍ତ ବାତିଲ୍ ରହିବ।

କେତେକ ପ୍ରମୁଖ ଟ୍ରେନ୍ କୋରାପୁଟ ପର୍ଯ୍ୟନ୍ତ ଚାଲିବ ଏବଂ କୋରାପୁଟ-ଜଗଦଲପୁର ମଧ୍ୟରେ ଏଗୁଡ଼ିକର ସେବା ବାତିଲ୍ ରହିବ:

  • ୧୮୦୦୫/୧୮୦୦୬ ହାଓଡ଼ା-ଜଗଦଲପୁର-ହାଓଡ଼ା ଏକ୍ସପ୍ରେସ୍: ହାଓଡ଼ା ଓ କୋରାପୁଟ ମଧ୍ୟରେ ଚାଲିବ। କୋରାପୁଟରୁ ଜଗଦଲପୁର ମଧ୍ୟରେ ଚଳାଚଳ ବନ୍ଦ ରହିବ।
  • ୧୮୪୪୭/୧୮୪୪୮ ହିରାଖଣ୍ଡ ଏକ୍ସପ୍ରେସ୍: ଭୁବନେଶ୍ୱର ଓ କୋରାପୁଟ ମଧ୍ୟରେ ଚାଲିବ। କୋରାପୁଟ-ଜଗଦଲପୁର ଅଂଶରେ ସେବା ବାତିଲ୍ ରହିବ।
  • ୫୮୫୦୧/୫୮୫୦୨ ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର: ଅକ୍ଟୋବର ୪ ରୁ ୭ ତାରିଖ ପର୍ଯ୍ୟନ୍ତ କେବଳ କୋରାପୁଟ ପର୍ଯ୍ୟନ୍ତ ଚାଲିବ।

ରେଳ ବିଭାଗ ପକ୍ଷରୁ ସମସ୍ତ ସଂରକ୍ଷିତ ଟିକେଟ୍‌ ଧାରୀ ଯାତ୍ରୀଙ୍କୁ ବଲ୍କ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ଯାତ୍ରା ଆରମ୍ଭ କରିବା ପୂର୍ବରୁ ରେଳସେବା ବାବଦରେ ଯାଞ୍ଚ କରି ନିଜର ଯାତ୍ରା ଯୋଜନା କରିବାକୁ ପୂର୍ବତଟ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି।