ଭୁବନେଶ୍ୱର: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ବ୍ୟାଙ୍କକ୍ ପାଇଁ ପୁଣି ଥରେ ସିଧାସଳଖ ଆନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହୋଇଛି। ଗତ ଜୁଲାଇ ମାସରୁ ଅସ୍ଥାୟୀ ଭାବେ ସ୍ଥଗିତ ରହିଥିବା ଏହି ରୁଟ୍ରେ ଗତକାଲି (ଶୁକ୍ରବାର) ଠାରୁ ପୁନର୍ବାର ବିମାନ ଚଳାଚଳ ଆରମ୍ଭ ହୋଇଛି।
ଶୁକ୍ରବାର ରାତି ୧୧ଟା ୦୫ ମିନିଟ୍ରେ ବିମାନ ନମ୍ବର ୧୦୬୫ ଭୁବନେଶ୍ୱରରୁ ବ୍ୟାଙ୍କକ୍ ଅଭିମୁଖେ ଉଡ଼ାଣ ଭରିଥିଲା। ଏହାର ପ୍ରତ୍ୟାବର୍ତ୍ତନ ବିମାନ ଶନିବାର ଭୋର ୫ଟା ୩୦ ମିନିଟ୍ରେ ବ୍ୟାଙ୍କକ୍ରୁ ଭୁବନେଶ୍ୱରରେ ପହଞ୍ଚିଛି।
ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ବିମାନ ସେବା ସପ୍ତାହକୁ ୨ ଦିନ ପରିଚାଳିତ ହେବ ଶୁକ୍ରବାର ରାତିରେ ଭୁବନେଶ୍ୱରରୁ ବିମାନ ବାହାରି ଶନିବାର ସକାଳେ ଫେରିବ। ସେହିପରି ସୋମବାର ରାତିରେ ବାହାରି ମଙ୍ଗଳବାର ସକାଳେ ପ୍ରତ୍ୟାବର୍ତ୍ତନ କରିବ।
ଅକ୍ଟୋବର ୨୫ ତାରିଖରୁ ଶୀତକାଳୀନ ସମୟସାରଣୀ ଅନୁଯାୟୀ ଏହି ବିମାନ ସେବାର ସମୟରେ ପରିବର୍ତ୍ତନ କରାଯିବ। ନୂତନ ସୂଚୀ ଅନୁସାରେ ରାତି ବଦଳରେ ଦିନବେଳା ବିମାନ ଚଳାଚଳ କରିବ। ପୂର୍ବାହ୍ନ ୧୧ଟାରେ ବିମାନଟି ଭୁବନେଶ୍ୱରରେ ପହଞ୍ଚିବା ପରେ ଅପରାହ୍ନ ୧ଟା ୩୫ ମିନିଟ୍ରେ ପୁଣି ବ୍ୟାଙ୍କକ୍ ଅଭିମୁଖେ ଯାତ୍ରା କରିବ।
ଭୁବନେଶ୍ୱର-ବ୍ୟାଙ୍କକ୍ ରୁଟ୍ରେ ଯାତ୍ରୀଙ୍କ ଭଲ ଚାହିଦା ରହିଥିବାରୁ ଏହି ସେବା ପୁନରାରମ୍ଭ ହେବା ଦ୍ୱାରା ଯାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଆଗାମୀ ଦିନରେ ଦୁବାଇ ପାଇଁ ମଧ୍ୟ ସିଧାସଳଖ ବିମାନ ସେବା ଆରମ୍ଭ କରିବାକୁ ଯୋଜନା ଚାଲିଛି। ଏହା ସହିତ ପର୍ଯ୍ୟାପ୍ତ ଯାତ୍ରୀ ସଂଖ୍ୟା ପୂରଣ ହେଲେ ସିଙ୍ଗାପୁର ଏୟାରଲାଇନ୍ସର ସେବା ମଧ୍ୟ ଭୁବନେଶ୍ୱରରୁ ଶୁଭାରମ୍ଭ ହୋଇପାରେ।




