କଟକ/କାକଟପୁର: ଆଜି ପବିତ୍ର ମୂଳାଷ୍ଟମୀ। ଏହି ଅବସରରେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠଗୁଡ଼ିକରେ ମା’ ଦୁର୍ଗାଙ୍କର ଆବାହନ ସହ ୧୬ ଦିନ ବ୍ୟାପି ସ୍ୱତନ୍ତ୍ର ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି। ଏଥିସହିତ ରାଜ୍ୟରେ ଶାରଦୀୟ ପାର୍ବଣ ଋତୁର ଶୁଭାରମ୍ଭ ହୋଇଛି। ପ୍ରତିଦିନ ସାଧାରଣ ପଞ୍ଚ ଉପଚାରରେ ନୀତିକାନ୍ତି ଚାଲୁଥିବା ବେଳେ ଆଜିଠାରୁ ନୀତି ପରିବର୍ତ୍ତନ କରାଯାଇ ଷୋଡ଼ଶ ଉପଚାରରେ ସ୍ୱତନ୍ତ୍ର ସଂକଳ୍ପିତ ପୂଜାପଣ୍ଡାମାନଙ୍କ ଦ୍ୱାରା ନିଷ୍ଠାର ସହ ଏହି ପୂଜାର୍ଚ୍ଚନା କରାଯାଉଛି।
ସିଲଭର ସିଟି କଟକର ପ୍ରସିଦ୍ଧ ଶକ୍ତିପୀଠ ମା’ କଟକ ଚଣ୍ଡୀଙ୍କ ମନ୍ଦିରରେ ଆଜିଠାରୁ ଦୁର୍ଗାପୂଜାର ନୀତିକାନ୍ତି ଆରମ୍ଭ ହୋଇଛି। ମୂଳାଷ୍ଟମୀ ତିଥିରେ ମନ୍ଦିରରେ ବିଧି ପରମ୍ପରା ଅନୁଯାୟୀ ଘଟ ପ୍ରତିଷ୍ଠା କରାଯାଇଛି। ଆସନ୍ତାକାଲିଠାରୁ ମା’ କଟକ ଚଣ୍ଡୀ ଭକ୍ତମାନଙ୍କୁ ପ୍ରତିଦିନ ଗୋଟିଏ ଲେଖାଏଁ ନୂତନ ରୂପରେ, ଅର୍ଥାତ୍ ମୋଟ ୧୬ଟି ବେଶରେ ଦର୍ଶନ ଦେବେ।
ବର୍ଷର ସବୁଠାରୁ ବଡ଼ ପର୍ବ ହୋଇଥିବାରୁ ମା’ କଟକ ଚଣ୍ଡୀଙ୍କ ପୀଠକୁ ସୁନ୍ଦର ଭାବେ ସଜାଯାଇଛି ଏବଂ ଶ୍ରଦ୍ଧାଳୁଙ୍କ ସୁଗମ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ସେହିପରି ପ୍ରସିଦ୍ଧ ଶକ୍ତିପୀଠ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ଆଜିଠାରୁ ନୀତିକାନ୍ତି ବଦଳିଛି।ଶୟନରତ ଥିବା ମା’ ମଙ୍ଗଳାମୟୀଙ୍କୁ ଜାଗ୍ରତ କରାଯିବା ପାଇଁ ଆଜି ସହସ୍ର କୁମ୍ଭାଭିଷେକ କରାଯାଉଛି। ମା’ ୧୦୮ ସୁବାସିତ ଜଳ କୁମ୍ଭରେ ମହାସ୍ନାନ କରିବେ। ମନ୍ଦିର ପରିସର ଗହନ ମନ୍ତ୍ରପାଠ, ଘଣ୍ଟ, କାହାଳୀ ଓ ଶଙ୍ଖ ଧ୍ୱନିରେ କମ୍ପି ଉଠୁଛି।
ପାର୍ବଣର ଏହି ଆଧ୍ୟାତ୍ମିକ ପରିବେଶରେ ମା’ଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ସକାଳୁ ଶକ୍ତିପୀଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିବାରେ ଲାଗିଛି।




