କୋଲକାତା: ପଶ୍ଚିମବଙ୍ଗର ଉତ୍ତର ବଙ୍ଗାଳ ସ୍ଥିତ କୁଚବିହାର ଜିଲ୍ଲା ମାଥାଭାଙ୍ଗା-୧ ବ୍ଲକ୍ର ଜୋରପାଟକି ଅଞ୍ଚଳରେ ଏକ ରାଜନୈତିକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ ବିକ୍ଷୋଭ ଶୋଭାଯାତ୍ରା କରିବାର କିଛି ଘଣ୍ଟା ପରେ, ସିପିଆଇ(ଏମ୍)ର କାର୍ଯ୍ୟାଳୟ ଉପରେ ଆକ୍ରମଣ ଓ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣ ପଛରେ ବିଜେପି କର୍ମୀଙ୍କ ହାତ ଥିବା ସିପିଆଇ(ଏମ୍) ଦଳୀୟ ଭାବେ ଦାବି କରିଛି।
ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ସିପିଆଇ(ଏମ୍) ଜୋରପାଟକି ଏରିଆ କମିଟି ପକ୍ଷରୁ ଗୋଲକଗଞ୍ଜ ବଜାର ଅଞ୍ଚଳରେ ପୋଲିସର ଅନୁମତିକ୍ରମେ ଏକ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରାରେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ହଟାଇବା, ନିର୍ବାଚନ ମଣ୍ଡଳୀରେ ବୈଧ ଭୋଟରଙ୍କ ନାମ ତୁରନ୍ତ ସାମିଲ କରିବା, ଅନ୍ନପୂର୍ଣ୍ଣା ଯୋଜନାରୁ ବଞ୍ଚିତ ମହିଳାଙ୍କୁ ମାସିକ ୩,୦୦୦ ଟଙ୍କା ସହାୟତା ଏବଂ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ୍ ନିୟନ୍ତ୍ରଣ କରିବା ପାଇଁ ଦାବି କରାଯାଇଥିଲ।
ସିପିଆଇ(ଏମ୍) ଜିଲ୍ଲା କମିଟି ସଦସ୍ୟ ମୋକ୍ଷେଦୁଲ୍ ଇସଲାମଙ୍କ କହିବା ଅନୁଯାୟୀ, ଶୋଭାଯାତ୍ରା ଶେଷ ହେବା ପରେ କର୍ମୀମାନେ ଦଳୀୟ କାର୍ଯ୍ୟାଳୟରେ ଏକାଠି ହୋଇ ଆଲୋଚନା କରିଥିଲେ। ସମସ୍ତେ ଘରକୁ ଫେରିବା ପରେ କାର୍ଯ୍ୟାଳୟରେ ତାଲା ପକାଯାଇଥିଲା। ମାତ୍ର କିଛି ଘଣ୍ଟା ପରେ ବିଜେପି ସମର୍ଥିତ ଦୁର୍ବୃତ୍ତମାନେ କାର୍ଯ୍ୟାଳୟର ତାଲା ଭାଙ୍ଗି ଭିତରେ ଥିବା ଆସବାବପତ୍ର ଓ ଅନ୍ୟାନ୍ୟ ଜିନିଷ ଭାଙ୍ଗି ଚୁରମାର କରିଦେଇଥିଲେ।
“ପଶ୍ଚିମବଙ୍ଗରେ ଆଇନର ଶାସନ ବଦଳରେ ଶାସକଙ୍କ ଶାସନ ଚଳାଇବାକୁ ଚେଷ୍ଟା କରାଯାଉଛି। କାର୍ଯ୍ୟାଳୟ ଭାଙ୍ଗି ଲାଲ ପତାକାକୁ ନୋଡ଼ି ଦିଆଯାଇପାରିବ ନାହିଁ। ଏହି ଘଟଣାରେ ପୋଲିସ ନିକଟରେ ଲିଖିତ ଅଭିଯୋଗ କରାଯିବ।”- ମୋକ୍ଷେଦୁଲ୍ ଇସଲାମ, ସିପିଆଇ(ଏମ୍) ନେତା
ଏହି ସମସ୍ତ ଅଭିଯୋଗକୁ ବିଜେପି ଦୃଢ଼ ଭାବେ ଖଣ୍ଡନ କରିଛି। ବିଜେପି ଜିଲ୍ଲା କମିଟି ସଦସ୍ୟ ରାଜୀବ ସରକାର କହିଛନ୍ତି ଯେ, କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣାରେ ବିଜେପିର କୌଣସି କର୍ମୀ ସଂପୃକ୍ତ ନାହାନ୍ତି। “ଯଦି ବିଜେପିକୁ ସିପିଆଇ(ଏମ୍) କାର୍ଯ୍ୟାଳୟ ଭାଙ୍ଗିବାର ଥିାନ୍ତା, ତେବେ ସରକାର ଗଠନର ୫ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିନଥାନ୍ତା। ସିପିଆଇ(ଏମ୍) ନିଜର ଆଧାର ହରାଇ ମିଥ୍ୟା ଅଭିଯୋଗ ଆଣୁଛି,” ବୋଲି ସେ ପ୍ରକାଶ କରିଛନ୍ତି।
ଅପରପକ୍ଷରେ, ପୋଲିସ ପକ୍ଷରୁ କୁହାଯାଇଛି ଯେ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ମିଳିନାହିଁ। ଅଭିଯୋଗ ମିଳିବା ପରେ ଘଟଣାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।




