ଭୁବନେଶ୍ୱର: ଓଡ଼ିଶାର ଚଳଚ୍ଚିତ୍ର ଶିଳ୍ପ ପାଇଁ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆସନ୍ତାକାଲି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟୁଡିଓର ଉଦ୍‌ଘାଟନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍‌ଘାଟନ କରିବେ।

କଳିଙ୍ଗ ଷ୍ଟୁଡିଓର ଆଧୁନିକୀକରଣ ଓ ପୁନଃନିର୍ମାଣ ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ନିର୍ମାତାଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଇବା ଲକ୍ଷ୍ୟ ରହିଛି। ଏହାକୁ ବିଶ୍ୱସ୍ତରୀୟ ଷ୍ଟୁଡିଓ ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ପୂର୍ବରୁ ପଦକ୍ଷେପ ନେଇଥିଲେ।

୨୦୨୧ ମସିହା ମାର୍ଚ୍ଚ ୨୫ରେ କଳିଙ୍ଗ ଷ୍ଟୁଡିଓର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏହାର ପୁନଃନିର୍ମାଣ କାର୍ଯ୍ୟ IDCOକୁ ଦିଆଯାଇଥିଲା। ପ୍ରକଳ୍ପ ପାଇଁ ପ୍ରାୟ ୧୫୦ କୋଟି ଟଙ୍କାର ଡିପିଆର୍ ପ୍ରସ୍ତୁତ ହୋଇଥିବାବେଳେ ପ୍ରାୟ ୧୨୦ କୋଟି ଟଙ୍କାର କାର୍ଯ୍ୟ ପାଇଁ ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରାଯାଇଥିଲା।

କଳିଙ୍ଗ ଷ୍ଟୁଡିଓକୁ ଓଡ଼ିଆ ସିନେମାର ଉତ୍ପାଦନ, ପୋଷ୍ଟ-ପ୍ରଡକ୍ସନ୍ ଓ ନୂଆ ପ୍ରତିଭାଙ୍କୁ ସୁଯୋଗ ଦେବାର ଏକ ପ୍ରମୁଖ କେନ୍ଦ୍ର ଭାବେ ବିକଶିତ କରିବା ନେଇ ରାଜ୍ୟ ସରକାରଙ୍କ ଯୋଜନା ରହିଛି। ୨୦୨୬ ଜୁନ୍‌ରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ସିନେମାର ବିକାଶ ପାଇଁ ନୂଆ ଫିଲ୍ମ ପଲିସି ଆଣିବା ସହ କଳିଙ୍ଗ ଷ୍ଟୁଡିଓକୁ ଡିଜିଟାଲ୍ ଓ ପୋଷ୍ଟ-ପ୍ରଡକ୍ସନ୍ ହବ୍‌ ଭାବେ ଉନ୍ନତ କରିବା ନେଇ ଘୋଷଣା କରିଥିଲେ।

ଷ୍ଟୁଡିଓର ଆଧୁନିକ ଭିତ୍ତିଭୂମି ଫଳରେ ରାଜ୍ୟର ଚଳଚ୍ଚିତ୍ର ନିର୍ମାତାଙ୍କ ସହ ଅନ୍ୟ ରାଜ୍ୟର ନିର୍ମାତାମାନେ ମଧ୍ୟ ଓଡ଼ିଶାରେ ଫିଲ୍ମ ଓ ଧାରାବାହିକ ନିର୍ମାଣ ପାଇଁ ଆକୃଷ୍ଟ ହେବାର ଆଶା ରହିଛି।