ଜୟପୁର: ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନ ଅଧୀନରେ ଜୟପୁର ଟାଉନ୍‌ ପୁଲିସ ବଡ଼ ଧରଣର ଚଢ଼ାଉ କରି ୪୦୩.୨ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ୪୫ ଲକ୍ଷ ଟଙ୍କାରୁ ଅଧିକ ବୋଲି ପୁଲିସ କହିଛି।

ଶନିବାର ବିଳମ୍ବିତ ରାତିରେ ଜୟପୁର କେନାଲ ରୋଡ୍‌ ନିକଟରେ ପୁଲିସ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ସମୟରେ ବ୍ରାଉନ୍‌ସୁଗାର କାରବାର ସମ୍ପର୍କରେ ସୂଚନା ପାଇଥିଲା। ଏହାପରେ ପୁଲିସ ଟିମ୍‌ ସେଠାରେ ଛପି ରହିଥିଲା। ପ୍ରଥମେ ଦୁଇଜଣ ସ୍ଥାନୀୟ ଯୁବକ ସେଠାରେ ଥିବା ବେଳେ କିଛି ସମୟ ପରେ ଏକ ଧଳା ରଙ୍ଗର ମାରୁତି ସୁଜୁକି ଡିଜାୟର୍‌ ପହଞ୍ଚିଥିଲା। କାର୍‌ରେ ଥିବା ଲୋକଙ୍କୁ ମିଶାଇ ମୋଟ ୭ ଜଣ ଘଟଣାସ୍ଥଳରେ ଥିଲେ। ପୁଲିସ ଅତର୍କିତ ଚଢ଼ାଉ କରି ୬ ଜଣଙ୍କୁ ଧରିଥିବା ବେଳେ ଜଣେ ଖସି ପଳାଇଥିଲେ।

ତଲାସି ସମୟରେ କାର୍‌ ଭିତରୁ ୩୭୦୦ଟି ଛୋଟ ବ୍ରାଉନ୍‌ସୁଗାର ପୁଡ଼ିଆ ଏବଂ ପ୍ରାୟ ୧୦ ଗ୍ରାମ ଲେଖାଏଁ ଥିବା ୧୧ଟି ପ୍ୟାକେଟ୍‌ ଜବତ ହୋଇଥିଲା। ଏହାବ୍ୟତୀତ ସ୍ଥାନୀୟ ରିସିଭର୍‌ଙ୍କ ନିକଟରୁ ୧୦୦ଟି ପୁଡ଼ିଆ ଏବଂ କାର୍‌ରେ ଆସିଥିବା ବ୍ୟକ୍ତିଙ୍କଠାରୁ ପ୍ରାୟ ୧୧୦ ଗ୍ରାମ ବ୍ରାଉନ୍‌ସୁଗାର ମଧ୍ୟ ଜବତ ହୋଇଥିବା ପୁଲିସ କହିଛି।

ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଜବତ ବ୍ରାଉନ୍‌ସୁଗାର ଖୋର୍ଦ୍ଧା ଓ ନୟାଗଡ଼ ଅଞ୍ଚଳରୁ ଜୟପୁରକୁ ଆସିଥିଲା। ଗିରଫ ୬ ଜଣଙ୍କ ମଧ୍ୟରୁ ୩ ଜଣ ଖୋର୍ଦ୍ଧା, ଜଣେ ନୟାଗଡ଼ ଏବଂ ୨ ଜଣ କୋରାପୁଟ ଜିଲ୍ଲାର ବୋଲି ପୁଲିସ ସୂଚନା ଦେଇଛି। ଏହାକୁ ଏକ ଆନ୍ତଃଜିଲ୍ଲା ନିଶା କାରବାର ନେଟ୍‌ୱର୍କ ଭାବେ ତଦନ୍ତ କରାଯାଉଛି।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜୟପୁରର ରାମ ଛତ୍ରିଆ, ଖୋର୍ଦ୍ଧାର ପ୍ରକାଶ କୁମାର ଛୁଆଳସିଂହ ଓ ଶେଖ୍‌ ଅଲ୍ଲୀ, କୋରାପୁଟର ଆଲୋକ ଚେଟ୍ଟି, ଖୋର୍ଦ୍ଧାର ସତ୍ୟପ୍ରିୟ ପଟ୍ଟନାୟକ ଏବଂ ନୟାଗଡ଼ର ସରୋଜିନୀ ବରାଡ଼ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କ ନାମରେ ପୂର୍ବରୁ NDPS ଆଇନ ସମେତ ହତ୍ୟା, ଡକାୟତି ଓ ଚୋରି ଭଳି ମାମଲା ଥିବା ପୁଲିସ କହିଛି।

ପୁଲିସ ଡିଜାୟର୍‌ କାର୍‌, ୨୦ ହଜାର ଟଙ୍କା ନଗଦ, ୮ଟି ମୋବାଇଲ୍‌ ଫୋନ୍‌, ଗୋଟିଏ ଭୁଜାଲି ଓ ଗୋଟିଏ ଛୁରି ମଧ୍ୟ ଜବତ କରିଛି। ଅସ୍ତ୍ରଗୁଡ଼ିକ କେଉଁ ଉଦ୍ଦେଶ୍ୟରେ ନିଆଯାଇଥିଲା ଏବଂ ନିଶା କାରବାର ସହ ଏହାର କି ସମ୍ପର୍କ ରହିଛି, ସେନେଇ ତଦନ୍ତ ଚାଲିଛି।

ଜବତ ବ୍ରାଉନ୍‌ସୁଗାର ବାଣିଜ୍ୟିକ ପରିମାଣଠାରୁ ଅଧିକ ହୋଇଥିବାରୁ ଜୟପୁର ଟାଉନ୍‌ ଥାନାରେ NDPS ଆଇନର ଧାରା ୨୧(ସି)/୨୯ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ୬ ଜଣଙ୍କୁ ଜୟପୁର ସ୍ୱତନ୍ତ୍ର ଜିଲ୍ଲା ଓ ଦୌରାଜଜ୍‌ କୋର୍ଟରେ ହାଜର କରାଯାଇଛି।