ଢେଙ୍କାନାଳ: ଢେଙ୍କାନାଳ ସହରର ଦକ୍ଷିଣକାଳୀ ସ୍ଥିତ ଇସ୍କନ୍ (ISKCON) ସେଣ୍ଟରରେ ଶ୍ରମ ବିଭାଗ ଏବଂ ଚାଇଲ୍ଡ ହେଲ୍ପଲାଇନ୍ ପକ୍ଷରୁ ମିଳିତ ଭାବେ ଏକ ଅଚାନକ ଚଢ଼ାଉ କରାଯାଇଛି। କୁନି କୁନି ପିଲାମାନଙ୍କୁ ଶିକ୍ଷା ଓ ‘ଚିଲ୍ଡ୍ରେନ୍ କ୍ଲାସ୍’ ଦେବା ଆଳରେ ବେଆଇନ୍ ଭାବେ ବିଭିନ୍ନ ଗୃହକାର୍ଯ୍ୟରେ ନିୟୋଜିତ କରାଯାଉଥିବା ନେଇ ଗୁରୁତର ଅଭିଯୋଗ ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଇସ୍କନ୍ ସେଣ୍ଟରରେ ସାନ୍ଧ୍ୟ ଶିକ୍ଷା କିମ୍ବା ଧାର୍ମିକ କ୍ଲାସ୍ ନାମରେ କୋମଳମତି ଶିଶୁମାନଙ୍କୁ ଅଣାଯାଉଥିଲା। ମାତ୍ର ସେଠାରେ ପାଠପଢ଼ା ବଦଳରେ ପିଲାମାନଙ୍କ ଦ୍ୱାରା ମନ୍ଦିରର ବାସନ ମଜାଯିବା, ଲୁଗାପଟା ସଫା କରାଯିବା, ଘର ଝାଡ଼ୁ କରିବା ଓ ଅନ୍ୟାନ୍ୟ କାମ କରାଯାଉଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ଶ୍ରମ ଅଧିକାରୀଙ୍କ ସମେତ ଚାଇଲ୍ଡ ହେଲ୍ପଲାଇନ୍ର ଦୁଇଟି ସ୍ୱତନ୍ତ୍ର ଟିମ୍ ସେଠାରେ ପହଞ୍ଚି ଚଢ଼ାଉ କରିଥିଲେ।
ଏହି ଚଢ଼ାଉ ସମ୍ପର୍କିତ ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ଏବଂ ଘଟଣାସ୍ଥଳରେ ଉପସ୍ଥିତ ଚାଇଲ୍ଡ ହେଲ୍ପଲାଇନ୍ ଅଧିକାରୀଙ୍କୁ ଇସ୍କନ୍ର କିଛି ଭକ୍ତ ଓ କର୍ତ୍ତୃପକ୍ଷ ଦୁର୍ବ୍ୟବହାର କରିଥିବା ଜଣାପଡ଼ିଛି। ଖବର ସଂଗ୍ରହରେ ବାଧା ସୃଷ୍ଟି କରିବା ସହ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରାଯାଇଥିବା ନେଇ ସାମ୍ବାଦିକଙ୍କ ତରଫରୁ ଢେଙ୍କାନାଳ ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରାଯାଇଛି। ତେବେ ଏହି ଦୁର୍ବ୍ୟବହାର ଓ ଅଭିଯୋଗ ସମ୍ପର୍କରେ ଇସ୍କନ୍ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।
ଇସ୍କନ୍ ସେଣ୍ଟର ବିବାଦୀୟ ହେବା ଏହା ପ୍ରଥମ ଘଟଣା ନୁହେଁ। ମାତ୍ର ଦୁଇ ସପ୍ତାହ ତଳେ ଇସ୍କନ୍ ଦ୍ୱାରା ଅନୁମୋଦିତ ଏକ ରେଷ୍ଟୁରାଣ୍ଟରେ ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେଠାରୁ ବହୁ ପରିମାଣର ବାସୀ ଓ ନିମ୍ନମାନର ଖାଦ୍ୟ ଜବତ କରାଯିବା ସହ ଉକ୍ତ ସଂସ୍ଥା ଉପରେ ମୋଟା ଅଙ୍କର ଜୋରିମାନା କରାଯାଇଥିଲା।
ଗୋଟିଏ ପଟେ ବାସୀ ଖାଦ୍ୟ ଜବତ ଏବଂ ଅନ୍ୟପଟେ କୁନି ପିଲାଙ୍କୁ ଶିଶୁ ଶ୍ରମିକ ଭାବେ ନିୟୋଜିତ କରିବା ଅଭିଯୋଗ ଢେଙ୍କାନାଳ ଇସ୍କନ୍ ସେଣ୍ଟରର କାର୍ଯ୍ୟଶୈଳୀ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।




