ଭୁବନେଶ୍ୱର: ଉପକୂଳବର୍ତ୍ତୀ ସହର ପୁରୀରେ ଅକ୍ଟୋବର ମାସରେ ଅସ୍ବାଭାବିକ ଗୁଳୁଗୁଳି ଓ ପ୍ରବଳ ଉତ୍ତାପ ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗ (IMD) ଦ୍ୱାରା ଜାରି ତଥ୍ୟ ଅନୁସାରେ, ଗତକାଲି ଅକ୍ଟୋବର ୫ ତାରିଖରେ ପୁରୀର ସର୍ବାଧିକ ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୧୮୯୬ ମସିହାରୁ ପାଣିପାଗ ବିଭାଗ ପାଖରେ ରହିଥିବା ୧୩୦ ବର୍ଷର ଐତିହାସିକ ତଥ୍ୟ ମଧ୍ୟରେ ଏହା ଅକ୍ଟୋବର ମାସର ଦ୍ୱିତୀୟ ସର୍ବାଧିକ ତାପମାତ୍ରା ଅଟେ।
ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ପୁରୀ ସହର ପାଇଁ ଅକ୍ଟୋବର ମାସର ସର୍ବକାଳୀନ ସର୍ବାଧିକ ତାପମାତ୍ରା ୩୬.୭ ଡିଗ୍ରୀ ସେଲସିୟସ ରହିଛି, ଯାହା ୨୦୨୪ ମସିହା ଅକ୍ଟୋବର ୧ ତାରିଖରେ ରେକର୍ଡ କରାଯାଇଥିଲା। ଏହା ପୂର୍ବରୁ ୨୦୨୪ ଅକ୍ଟୋବର ୪ ତାରିଖରେ ରେକର୍ଡ ହୋଇଥିବା ୩୬.୩ ଡିଗ୍ରୀ ସେଲସିୟସ ଦ୍ୱିତୀୟ ସର୍ବାଧିକ ତାପମାତ୍ରା ଥିଲା, ଯାହାକୁ ଚଳିତ ବର୍ଷର ୩୬.୬ ଡିଗ୍ରୀ ସେଲସିୟସ ତାପମାତ୍ରା ଅତିକ୍ରମ କରିଛି।
ଅକ୍ଟୋବର ମାସର ଆରମ୍ଭରୁ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଏପରି ଅସ୍ବାଭାବିକ ଗରମ ଓ ଗୁଳୁଗୁଳି ସ୍ଥିତି ସାଧାରଣ ନାଗରିକ ଓ ପର୍ଯ୍ୟଟକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପାଣିପାଗ ବିଜ୍ଞାନୀମାନଙ୍କ ମତରେ, ଏହି ସମୟରେ ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ଏବଂ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ବାୟୁ ପ୍ରବାହର ପରିବର୍ତ୍ତନ ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଛି।




