ଭୁବନେଶ୍ୱର: ଦୀର୍ଘ ପ୍ରାୟ ୪ ବର୍ଷର ଅପେକ୍ଷା ପରେ ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର (SI) ପଦବୀ ପାଇଁ ଆଶାୟୀ ପରୀକ୍ଷାର୍ଥୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OUSSSC) ଆସନ୍ତା ନଭେମ୍ବର ମାସରେ ଏହି ବହୁପ୍ରତୀକ୍ଷିତ ଲିଖିତ ପରୀକ୍ଷା ପରିଚାଳନା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି।
OUSSSC ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ ଏହି ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୭ରୁ ୮ ଦିନ ମଧ୍ୟରେ ଏକ ବିଧିବଦ୍ଧ ନୋଟିଫିକେସନ୍ ଜାରି କରାଯିବ। ପ୍ରବେଶ ପତ୍ର ଜାରି ହେବା ପୂର୍ବରୁ ଆବେଦନକାରୀଙ୍କୁ ସେମାନଙ୍କର ଇମେଲ୍ ID, ମୋବାଇଲ୍ ନମ୍ବର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ତଥ୍ୟକୁ OTP ଜରିଆରେ ପୁନଃ ସତ୍ୟାପନ କରିବାକୁ କୁହାଯିବ।
ପରୀକ୍ଷାର୍ଥୀମାନଙ୍କୁ ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ ପ୍ରାୟ ୮ରୁ ୧୦ଟି ଗୁରୁତ୍ୱପୂର୍ଣ୍ଣ ସୂଚନାର ଯାଞ୍ଚ କରିବାକୁ ପଡ଼ିବ। OUSSSC ଚେୟାରମ୍ୟାନ୍ ପରୀକ୍ଷାର୍ଥୀମାନଙ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି।
ଚଳିତ ଥର ପରୀକ୍ଷା ପଦ୍ଧତିରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ହେଉଥିବା ଅନଲାଇନ୍ ମୋଡ୍ ବଦଳରେ ଏଥର OMR ସିଟ୍ (ଅଫଲାଇନ୍) ଜରିଆରେ ଲିଖିତ ପରୀକ୍ଷା କରାଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୌଣସି ତୃତୀୟ ପକ୍ଷ ବଦଳରେ OUSSSC ନିଜେ ଏହି ପରୀକ୍ଷା ପରିଚାଳନା କରିବ।
ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଲିଖିତ ପରୀକ୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି। ଏହାପରେ ଶାରୀରିକ ଦକ୍ଷତା ପରୀକ୍ଷା ଏବଂ ସର୍ଟଲିଷ୍ଟିଂ କରାଯାଇ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସମଗ୍ର ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ କମିଶନ ଲକ୍ଷ୍ୟ ରଖିଛନ୍ତି।
କେତେକ ଆଇନଗତ ପ୍ରକ୍ରିୟା ଏବଂ ଡାଟା ପୁନଃ ନିର୍ମାଣ ଯୋଗୁଁ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ଘଟିଥିଲା ବୋଲି OUSSSC ଚେୟାରମ୍ୟାନ୍ କହିଛନ୍ତି। ତେବେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ମୂଳ ନିୟମ ଓ ସର୍ତ୍ତାବଳୀ ଆଧାରରେ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ିବ, ଏଥିରେ କୌଣସି ନୂଆ ମାନଦଣ୍ଡ ଯୋଡ଼ାଯିବ ନାହିଁ।




