ଭୁବନେଶ୍ୱର: ଗୁରୁବାର ପାଇଁ ଦିଆଯାଇଥିବା ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡାକରାକୁ ନେଇ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ ମାତ୍ର ଆଧ ଘଣ୍ଟା ମଧ୍ୟରେ ଏକ ବଡ଼ ରାଜନୈତିକ ‘ୟୁ-ଟର୍ନ୍’ ନେଇଛି। କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ଆହୂତ ଏହି ବନ୍ଦ ଡାକରାକୁ ବିଜେଡି ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ ଭାବେ ଜଣାଇ ଦେଇଛି।
ବୁଧବାର ଦିନ ଏକ ନାଟକୀୟ ଘଟଣାକ୍ରମରେ, ବିଜେଡିର ବରିଷ୍ଠ ନେତ୍ରୀ ତଥା ଦଳୀୟ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନବୀନ ନିବାସରୁ ବାହାରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ବିଜେଡି ‘ଇଣ୍ଡିଆ’ ମେଣ୍ଟର ବନ୍ଦ ଡାକରାକୁ ସମର୍ଥନ କରିବ। ସେ କହିଥିଲେ ଯେ ନୂଆଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ପ୍ରତିବାଦକୁ ଦଳ ପୂର୍ବରୁ ସମର୍ଥନ ଜଣାଇସାରିଛି, ତେଣୁ ଏହି ବନ୍ଦକୁ ମଧ୍ୟ ସମର୍ଥନ ଦିଆଯିବ।
ତେବେ ଏହି ବକ୍ତବ୍ୟର ମାତ୍ର ଅଧ ଘଣ୍ଟା ନପୂରୁଣୁ ସେ ନିଜ ନିଷ୍ପତ୍ତିରୁ ଓହରି ଯାଇଥିଲେ। ସେ ପୁନର୍ବାର ସାମ୍ବାଦିକମାନଙ୍କୁ ସମ୍ବୋଧନ କରି କହିଥିଲେ:
“ଆମେ କାଲିର ବନ୍ଦକୁ ସମର୍ଥନ କରିବୁ ନାହିଁ। ଯେଉଁମାନେ ବନ୍ଦ ଡାକରା ଦେଇଛନ୍ତି, ସେମାନେ କ’ଣ ଆମକୁ ପଚାରିଥିଲେ? ଆମେ କେବଳ ଏସ୍ଆଇଆର୍ (SIR) ମୁଦ୍ଦା ଏବଂ ଜ୍ଞାନେଶ କୁମାରଙ୍କ ପ୍ରସଙ୍ଗରେ ସମର୍ଥନ ଜଣାଇଥିଲୁ।”
‘ସମଦୂରତା’ ନୀତିରେ କାୟମ ବିଜେଡି
ଦଳର ସ୍ଥିତି ସ୍ପଷ୍ଟ କରି ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଜେଡି କୌଣସି ଆଞ୍ଚଳିକ କିମ୍ବା ଜାତୀୟ ମେଣ୍ଟର ଅଂଶବିଶେଷ ନୁହେଁ। ଦଳ ବିଜେପି ଏବଂ କଂଗ୍ରେସ ଉଭୟ ଦଳଠାରୁ ସମାନ ଦୂରତା ବଜାୟ ରଖିବା ନୀତିରେ ପୂର୍ବଭଳି ବିଶ୍ୱାସ କରେ।
ସୂଚନାଯୋଗ୍ୟ ଯେ, ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ହଟାଇବା ଏବଂ ସଂଶୋଧିତ MMDR ଆଇନ ରଦ୍ଦ ଦାବିରେ କଂଗ୍ରେସ ଓ ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଆହ୍ୱାନ କରାଯାଇଛି। ବିଜେଡି ଏହି ବନ୍ଦରୁ ଓହରିଯିବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି।




