ଭୁବନେଶ୍ୱର: କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ଗୁରୁବାର (ଅକ୍ଟୋବର ୮) ଆହୂତ ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ‘ଓଡ଼ିଶା ବନ୍ଦ’କୁ ସମର୍ଥନ ଜଣାଇଛି ରାଜଧାନୀ ଅଟୋ ଚାଳକ ସଂଘ। ଏହି କାରଣରୁ ଗୁରୁବାର ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଭାଗରେ ଅଟୋ-ରିକ୍ସା ସେବା ସମ୍ପୂର୍ଣ୍ଣ ଠପ୍ ରହିବ, ଯାହା ଫଳରେ ସାଧାରଣ ଯାତ୍ରୀ ଓ ନିୟମିତ ଯାତାୟାତ କରୁଥିବା ଲୋକେ ଗୁରୁତର ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ ପାଇଛି।

ସକାଳ ୬ଟାରୁ ସଞ୍ଜ ୬ଟା ଯାଏଁ ସେବା ବନ୍ଦ

ରାଜଧାନୀ ଅଟୋ ଚାଳକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସଂଘର ଘୋଷଣା ଅନୁଯାୟୀ, ଅକ୍ଟୋବର ୮ ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ଅଫଲାଇନ୍ (ସାଧାରଣ) ଏବଂ ଆପ୍-ଭିତ୍ତିକ ଅଟୋ-ରିକ୍ସା ସେବା ସମ୍ପୂର୍ଣ୍ଣ ଭାବେ ନିଲମ୍ବିତ ରହିବ।

ଏଥିସହିତ, ବନ୍ଦ ସମୟରେ ନିଜ ନିଜ ଅଞ୍ଚଳରେ ହେବାକୁ ଥିବା ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହେବାକୁ ସଂଘ ପକ୍ଷରୁ ଅଟୋ ଚାଳକମାନଙ୍କୁ ଆହ୍ୱାନ ଦିଆଯାଇଛି। ଫଳରେ ଭୁବନେଶ୍ୱରରେ ବସଷ୍ଟାଣ୍ଡ, ରେଳଷ୍ଟେସନ ଓ ହସ୍ପିଟାଲ ଆଦି ସ୍ଥାନକୁ ଯାତାୟାତ କରୁଥିବା ଲୋକଙ୍କୁ ବିକଳ୍ପ ବ୍ୟବସ୍ଥା ଉପରେ ନିର୍ଭର କରିବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ ଯେ, ‘ଇଣ୍ଡିଆ’ ମେଣ୍ଟ ଚାରୋଟି ମୁଖ୍ୟ ଦାବି ସଂଶୋଧିତ MMDR ଆଇନ ରଦ୍ଦ, ପାଠ୍ୟପୁସ୍ତକ ତ୍ରୁଟି ଅଭିଯୋଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଦି ପ୍ରସଙ୍ଗକୁ ନେଇ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି।

ତେବେ ଜରୁରୀକାଳୀନ ଏବଂ ଆତ୍ୟାବଶ୍ୟକ ସେବା ଗୁଡ଼ିକୁ ଏହି ବନ୍ଦ ବାସନ୍ଦରୁ ମୁକ୍ତ ରଖାଯାଇଛି।