ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଦଳ ଏବେଠୁ ବଳ କଷିବା ଆରମ୍ଭ କରିଦେଲେଣି। ବିଜେପି ସରକାରଙ୍କ ବିଫଳତାକୁ ଅସ୍ତ୍ର କରି ବିଜୁ ଜନତା ଦଳ ଗାନ୍ଧୀ ଜୟନ୍ତୀ (ଅକ୍ଟୋବର ୨)ରୁ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି। ଦଳୀୟ ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟର ୧୪୭ଟି ଜିଲ୍ଲା ଓ ନିର୍ବାଚନମଣ୍ଡଳୀରେ ପଦଯାତ୍ରା ପାଇଁ ନେତାମାନଙ୍କୁ ଟାସ୍କ ଦେଇଥିବା ବେଳେ, ନିଜେ ରାଜଧାନୀ ଭୁବନେଶ୍ୱରରେ ରହି ରଣନୀତି ପ୍ରସ୍ତୁତ କରୁଛନ୍ତି।
ଦୀର୍ଘ ଦିନ ପରେ ଗ୍ରାଉଣ୍ଡକୁ ଓହ୍ଲାଇଥିବା ନବୀନ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱରରେ ବେଶ୍ ସକ୍ରିୟ ନଜର ଆସୁଛନ୍ତି।
ଗତ ୨ ତାରିଖରେ ଏକାମ୍ର ନିର୍ବାଚନମଣ୍ଡଳୀ ଏବଂ ଶୁକ୍ରବାର ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ପଦଯାତ୍ରାରେ ଯୋଗଦେଇ ସେ ମୋହନ ସରକାରଙ୍କୁ ସମାଲୋଚନା କରିଛନ୍ତି। ‘ଡବଲ ଇଞ୍ଜିନ ସରକାର’ ଓଡ଼ିଶାର ଇମେଜ୍ ନଷ୍ଟ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।
ରାଜଧାନୀରେ ପଦଯାତ୍ରା କରୁଥିଲେ ସୁଦ୍ଧା ନବୀନ ନିଜର ପାରମ୍ପରିକ ଆସନ ହିଞ୍ଜିଳିକୁ ଯାଉନାହାନ୍ତି। ଗତ ଦୁଇ ବର୍ଷ ହେଲା ସେଠାରେ ତାଙ୍କର ପାଦ ପଡ଼ିନଥିବାରୁ କର୍ମୀମାନେ ନୟାନ୍ତ ହେଲେଣି।
ନବୀନ ଜିଲ୍ଲା ଗସ୍ତରେ ନଯାଇ ନବୀନ ନିବାସରୁ ହିଁ ସମସ୍ତ ଗତିବିଧି ନିୟନ୍ତ୍ରଣ କରୁଛନ୍ତି।
ମିଡିଆ ଟିମ୍, ବରିଷ୍ଠ ନେତା ଏବଂ ଜିଲ୍ଲାସ୍ତରୀୟ ସଂଗଠକଙ୍କୁ ନବୀନ ନିବାସ ଡାକି ସେ ମାନସମନ୍ଥନ କରୁଛନ୍ତି। MMDR ଆଇନ, ପାଠ୍ୟପୁସ୍ତକ ତ୍ରୁଟି ଏବଂ SIR ନିର୍ବାଚନୀ ତ୍ରୁଟିକୁ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯିବାକୁ ସେ ନେତାମାନଙ୍କୁ ଆହ୍ୱାନ ଦେଇଛନ୍ତି।
ତୃଣମୂଳ ସ୍ତରରେ ଶୀର୍ଷ ନେତୃତ୍ୱ କ୍ଷେତ୍ରକୁ ନଓହ୍ଲାଇବା ଆଗାମୀ ପଞ୍ଚାୟତ ନିର୍ବାଚନ ଉପରେ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। ତେବେ ବିଜେଡି ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ, ବର୍ତ୍ତମାନ କ୍ଷେତ୍ର ପ୍ରସ୍ତୁତ ଚାଲିଛି ଏବଂ ଉପଯୁକ୍ତ ସମୟରେ ନବୀନ ସମଗ୍ର ରାଜ୍ୟ ପରିକ୍ରମା କରିବେ।




