ଭୁବନେଶ୍ୱର: ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କ୍ୟାମ୍ପସ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି।ଏହାପରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ କେଉଁ ପଦବୀ ପାଇଁ କେତେଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ, ସେନେଇ ପ୍ରାରମ୍ଭିକ ଚୂଡ଼ାନ୍ତ ତାଲିକା ଜାରି କରାଯାଇଛି।ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୬,୬୦୦ରୁ ଅଧିକ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି।

ରାଜ୍ଯ ୧୩ଟି ବିଶ୍ୱବିଦ୍ୟାଳୟରେ ମୋଟ ୪୨୯ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ।ଯାଞ୍ଚ ପରେ ୪୯ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ ୩୮୦ ଜଣଙ୍କ ଆବେଦନ କାଏମ ରହିଥିଲା।ପ୍ରତ୍ୟାହାର ଶେଷ ଦିନରେ ୩୪ ଜଣ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ୩୪୭ଟି କଲେଜରେ ୮,୩୭୦ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ।୧,୧୯୬ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହେବା ପରେ ୭,୧୭୪ ଜଣଙ୍କ ଆବେଦନ ବୈଧ ଥିଲା।ଏଥିମଧ୍ୟରୁ ୪୦୫ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ୬,୩୬୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ବିଭିନ୍ନ ଶିକ୍ଷାନୁଷ୍ଠାନ ବିଳମ୍ବିତ ରାତି ପର୍ଯ୍ୟନ୍ତ ତଥ୍ୟ ଅପଡେଟ୍ କରୁଥିବାରୁ ଆଜି ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।ଅପରପକ୍ଷେ, ପ୍ରାର୍ଥୀପତ୍ର ନାକଚକୁ ନେଇ କେତେକ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଛି।ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ନାରାବାଜି କରିବା ସହ ନିର୍ବାଚନ ବାତିଲ ଦାବି କରୁଛନ୍ତି।ପରିସ୍ଥିତିକୁ ନଜରରେ ରଖି ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ କେଉଁ କେଉଁ କଲେଜରେ ନିର୍ବାଚନ ହେବ, ସେନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।