ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗରିବ ଓ ଆର୍ଥିକ ଦୁର୍ବଳ ପରିବାରଙ୍କ ପାଇଁ ୧,୬୦୮ଟି ସୁଲଭ ଆବାସ ଲୋକାର୍ପିତ ହୋଇଛି। ଏଥିସହ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ୧୨ଟି ଅତ୍ୟାଧୁନିକ ଖେଳପଡ଼ିଆକୁ ମଧ୍ୟ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ କରିଛନ୍ତି। ଏହି ପଦକ୍ଷେପ ଦ୍ୱାରା ସହରରେ ଆବାସ ସୁବିଧା ସହ କ୍ରୀଡ଼ା ଭିତ୍ତିଭୂମିର ବିକାଶ ହେବ।
ଘାଟିକିଆ ଓ ଗାଡ଼କଣରେ ୧,୬୦୮ ଘର
‘ପିଏମ୍ଏୱାଇ-ଅର୍ବାନ୍ ବନ୍ଧୁ’ ଯୋଜନା ଅଧୀନରେ ଘାଟିକିଆଠାରେ ‘ନୀଳକଣ୍ଠେଶ୍ୱର ନିବାସ’ ଏବଂ ଗାଡ଼କଣଠାରେ ‘ମୁକ୍ତେଶ୍ୱର ରେସିଡେନ୍ସି’ ନାମରେ ଦୁଇଟି ଆବାସିକ ପ୍ରକଳ୍ପ ଉଦ୍ଘାଟିତ ହୋଇଛି।
ଗାଡ଼କଣରେ ୬ ଏକରରୁ ଅଧିକ ଜମିରେ ପ୍ରାୟ ୯୫ କୋଟି ଟଙ୍କା ବ୍ୟୟରେ ୬୮୦ଟି ଘର ନିର୍ମାଣ କରାଯାଇଛି। ସେହିପରି ଘାଟିକିଆରେ ୫ ଏକରରୁ ଅଧିକ ଜମିରେ ୬୬ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ୯୨୮ଟି ଘର ନିର୍ମିତ ହୋଇଛି। ଏହି ଦୁଇ ପ୍ରକଳ୍ପରେ ମୋଟ ୧,୬୦୮ଟି ଆବାସ ରହିଛି।
୧୨ଟି ଆଧୁନିକ ଖେଳପଡ଼ିଆ ଲୋକାର୍ପିତ
ଭୁବନେଶ୍ୱର ଓ ଏହାର ଆଖପାଖରେ ଭୁବନେଶ୍ୱର ବିକାଶ ପ୍ରାଧିକରଣ (BDA) ପକ୍ଷରୁ ନିର୍ମିତ ୧୨ଟି ଅତ୍ୟାଧୁନିକ ଖେଳପଡ଼ିଆ ଉଦ୍ଘାଟିତ ହୋଇଛି। ଏଥିରେ ଘାଟିକିଆ, ତମାଣ୍ଡୋ, ନଖରା, ଡମଣା ହାଇସ୍କୁଲ, ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୮ ବାଳକ ଉଚ୍ଚ ବିଦ୍ୟାଳୟ, ସହିଦନଗର ହାଇସ୍କୁଲ ଓ ବଜରଙ୍ଗୀ ଖେଳପଡ଼ିଆ ସମେତ ବିଭିନ୍ନ ସ୍ଥାନର ଖେଳପଡ଼ିଆ ରହିଛି।
ଏହି ଖେଳପଡ଼ିଆଗୁଡ଼ିକ ଯୁବପିଢ଼ିଙ୍କୁ ଖେଳକୁଦ ଓ ଶାରୀରିକ ଅଭ୍ୟାସ ପାଇଁ ଉନ୍ନତ ସୁବିଧା ଯୋଗାଇବା ସହ ସ୍ଥାନୀୟ କ୍ରୀଡ଼ା ପ୍ରତିଭାଙ୍କ ବିକାଶରେ ସହାୟକ ହେବ।
ଅନ୍ୟ ୯୬୨ ପରିବାରଙ୍କୁ ମଧ୍ୟ ଗୃହପ୍ରବେଶ
ଏହି କାର୍ଯ୍ୟକ୍ରମ ଅବସରରେ ବୁଦ୍ଧ ବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀରେ ଆଉ ୯୬୨ଟି ପରିବାରଙ୍କ ଗୃହପ୍ରବେଶ କରାଯାଇଛି। ଏହାଦ୍ୱାରା ଅଧିକ ପରିବାରଙ୍କୁ ପକ୍କା ଘରର ସୁବିଧା ମିଳିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ପରିବାର ସମ୍ମାନର ସହ ରହିବା ପାଇଁ ଘର ପାଇବା ଉଚିତ। ଏଥିସହ ଯୁବପିଢ଼ିଙ୍କୁ ନିଜ ପ୍ରତିଭା ବିକଶିତ କରିବାର ସୁଯୋଗ ଏବଂ ନାଗରିକଙ୍କୁ ଉନ୍ନତ ଜୀବନଯାପନ ପାଇଁ ଆବଶ୍ୟକ ସୁବିଧା ଯୋଗାଇବା ସରକାରଙ୍କ ଲକ୍ଷ୍ୟ ବୋଲି ସେ ଉଲ୍ଲେଖ କରିଛନ୍ତି।




