କଟକ: ରାଜ୍ୟସଭା ନିର୍ବାଚନରେ କ୍ରସ୍ଭୋଟିଂ ଅଭିଯୋଗକୁ ନେଇ ୮ ଜଣ ବିଜେଡି ବିଧାୟକଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ସମ୍ପୃକ୍ତ ପକ୍ଷଙ୍କଠାରୁ ଜବାବ ତଲବ କରିଛନ୍ତି। ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ବିଜେଡି ଦାଖଲ କରିଥିବା ଆବେଦନକୁ ବାଚସ୍ପତି ଖାରଜ କରିଥିଲେ। ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।
ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ
ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ୮ ଜଣ ବିଧାୟକଙ୍କ ବିରୋଧରେ ପୃଥକ୍ ଆବେଦନ ଦାଖଲ କରିଛନ୍ତି। ଜୁନ୍ ୧୯ରେ ବାଚସ୍ପତି ଏହି ଆବେଦନଗୁଡ଼ିକୁ ଖାରଜ କରିଥିଲେ। ଆବେଦନରେ ଆବଶ୍ୟକ ତଥ୍ୟ, ଯାଞ୍ଚ ଓ ସହାୟକ ଦସ୍ତାବିଜର ଅଭାବ ଥିବା ଦର୍ଶାଇ ବାଚସ୍ପତି ଏହି ନିଷ୍ପତ୍ତି ନେଇଥିଲେ।
ବିଜେଡି ପକ୍ଷରୁ ଯୁକ୍ତି ଦିଆଯାଇଛି ଯେ, ଆବେଦନରେ କିଛି ପ୍ରକ୍ରିୟାଗତ ତ୍ରୁଟି ଥିଲେ ମଧ୍ୟ ତାହା ସୁଧାରିବାର ସୁଯୋଗ ଦେବା ଉଚିତ ଥିଲା। ଅଭିଯୋଗର ମୂଳ ତଥ୍ୟ ଉପରେ ବିଚାର ନକରି ଆବେଦନ ଖାରଜ କରିବା ଠିକ୍ ନୁହେଁ ବୋଲି ଦଳ ହାଇକୋର୍ଟରେ ଦର୍ଶାଇଛି।
୮ ବିଧାୟକଙ୍କ ବିରୋଧରେ କ୍ରସ୍ଭୋଟିଂ ଅଭିଯୋଗ
୨୦୨୬ ମାର୍ଚ୍ଚ ୧୬ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଦଳୀୟ ନିର୍ଦ୍ଦେଶ ଉଲ୍ଲଂଘନ କରି ବିଜେଡିର ୮ ଜଣ ବିଧାୟକ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ସପକ୍ଷରେ ଭୋଟ୍ ଦେଇଥିବା ଦଳ ଅଭିଯୋଗ କରିଛି। ଏହି ଘଟଣା ପରେ ବିଜେଡି ବିଧାୟକମାନଙ୍କ ବିରୋଧରେ ଦଳୀୟ ଶୃଙ୍ଖଳା ଭଙ୍ଗ ଏବଂ ଦଳବଦଳ ନିରୋଧୀ ଆଇନ ଅନୁଯାୟୀ ପଦକ୍ଷେପ ଦାବି କରିଥିଲା।
ଅଭିଯୋଗର ସମ୍ମୁଖୀନ ହୋଇଥିବା ବିଧାୟକମାନେ ହେଲେ ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼, ଚକ୍ରମଣି କହଁର, ଦେବୀରଞ୍ଜନ ତ୍ରିପାଠୀ, ନବକିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା ଓ ରମାକାନ୍ତ ଭୋଇ।
ପରବର୍ତ୍ତୀ ଶୁଣାଣିକୁ ଅପେକ୍ଷା
ଏହି ମାମଲାରେ ବାଚସ୍ପତିଙ୍କ ସହ ବିଧାନସଭା ସଚିବ ଓ ସମ୍ପୃକ୍ତ ୮ ଜଣ ବିଧାୟକଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି। ହାଇକୋର୍ଟ ସେମାନଙ୍କଠାରୁ ଜବାବ ମାଗିଛନ୍ତି। ତେବେ ଏହି ପର୍ଯ୍ୟାୟରେ ବିଧାୟକମାନଙ୍କ ଅଯୋଗ୍ୟତା ସମ୍ପର୍କରେ କୌଣସି ଚୂଡ଼ାନ୍ତ ରାୟ ଦିଆଯାଇନାହିଁ।




