ୱାଶିଂଟନ୍‌: ରୁଷ୍‌ର ଜଣେ ୨୬ ବର୍ଷୀୟ ସେନା ଅଧିକାରୀ ଲେଭ୍‌ ଷ୍ଟୁପ୍‌ନିକୋଭ୍‌ ଗୁପ୍ତ ଭାବେ ୟୁକ୍ରେନ୍‌କୁ ସାମରିକ ସୂଚନା ଯୋଗାଇ ଦେଉଥିଲେ। ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ୟୁକ୍ରେନ୍‌ର ଆକ୍ରମଣରେ ୩୦୦ରୁ ଅଧିକ ରୁଷୀୟ ସୈନିକ ନିହତ ହୋଇଥିବା ଦାବି କରିଛି ଆମେରିକୀୟ ଖବରକାଗଜ ‘ଦ ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’।

ରିପୋର୍ଟ ଅନୁଯାୟୀ, ଷ୍ଟୁପ୍‌ନିକୋଭ୍‌ ରୁଷ୍‌ ସେନାରେ ଯୋଗାଯୋଗ ଅଧିକାରୀ ଭାବେ କାମ କରୁଥିଲେ। ଏହି ପଦବି ଯୋଗୁଁ ତାଙ୍କୁ ସେନାର ଅବସ୍ଥିତି, ସୈନିକଙ୍କ ଗତିବିଧି, ଯୁଦ୍ଧ ଯୋଜନା ଏବଂ ନିରୀକ୍ଷଣ ବ୍ୟବସ୍ଥା ସମ୍ପର୍କିତ ସୂଚନା ମିଳୁଥିଲା। ସେ ଏହି ଗୁପ୍ତ ତଥ୍ୟ ୟୁକ୍ରେନ୍‌ର ସାମରିକ ଗୁଇନ୍ଦା ସଂସ୍ଥାକୁ ପଠାଉଥିବା ଅଭିଯୋଗ ହୋଇଛି।

ଗୋଟିଏ ଆକ୍ରମଣରେ ୬୮ ସୈନିକ ନିହତ ହୋଇଥିବା ଦାବି

ରିପୋର୍ଟରେ କୁହାଯାଇଛି, ୨୦୨୪ ଫେବ୍ରୁଆରିରେ ରୁଷ୍‌ ସେନାର ଏକ ଶିବିରରେ ଏକାଠି ହୋଇଥିବା ସୈନିକଙ୍କ ଫଟୋ ଉଠାଇ ଷ୍ଟୁପ୍‌ନିକୋଭ୍‌ ସେମାନଙ୍କର ଅବସ୍ଥିତି ସମ୍ପର୍କିତ ସୂଚନା ୟୁକ୍ରେନ୍‌କୁ ପଠାଇଥିଲେ। ଏହା ପରେ ସେହି ସ୍ଥାନକୁ ଲକ୍ଷ୍ୟ କରି ମିସାଇଲ୍‌ ଆକ୍ରମଣ ହୋଇଥିଲା।

ଏହି ଆକ୍ରମଣରେ ୬୮ ଜଣ ରୁଷୀୟ ସୈନିକଙ୍କ ସହ ଜଣେ ବରିଷ୍ଠ ସେନା ଅଧିକାରୀ ନିହତ ହୋଇଥିବା ଏବଂ ଅନ୍ୟ ପ୍ରାୟ ୬୦ ଜଣ ଆହତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ପରବର୍ତ୍ତୀ ସମୟରେ ମଧ୍ୟ ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ୟୁକ୍ରେନ୍‌ ରୁଷ୍‌ର ସାମରିକ ଘାଟି ଓ ସୈନିକଙ୍କୁ ଲକ୍ଷ୍ୟ କରି ଆକ୍ରମଣ କରିଥିବା ଦାବି କରାଯାଇଛି।

ଯୁଦ୍ଧକୁ ବିରୋଧ କରି ସୂଚନା ଦେବା ଆରମ୍ଭ କରିଥିଲେ

ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣକୁ ବିରୋଧ କରୁଥିବା ଷ୍ଟୁପ୍‌ନିକୋଭ୍‌ ଯୁଦ୍ଧରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଖବର ଦେଖି ମାନସିକ ଭାବେ ପ୍ରଭାବିତ ହୋଇଥିବା ରିପୋର୍ଟରେ କୁହାଯାଇଛି। ତାଙ୍କ ମା’ ତାତିଆନା ୟାନ୍‌ସେନ୍‌ ମଧ୍ୟ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଶାସନକୁ ବିରୋଧ କରୁଥିଲେ। ୨୦୨୪ ଫେବ୍ରୁଆରିରେ ସେ ୟୁକ୍ରେନ୍‌ର ଗୁଇନ୍ଦା ନେଟ୍‌ୱର୍କ ସହ ସମ୍ପର୍କ ଥିବା ଦିମିତ୍ରୋ କାର୍ପେଙ୍କୋଙ୍କ ସହ ଯୋଗାଯୋଗ କରି ପୁଅକୁ ସେନାରୁ ବାହାରିବାରେ ସହାୟତା ଲୋଡ଼ିଥିଲେ।

ଏହା ପରେ ଷ୍ଟୁପ୍‌ନିକୋଭ୍‌ ଗୁପ୍ତ ଭାବେ ୟୁକ୍ରେନ୍‌କୁ ସୂଚନା ଯୋଗାଇବା ଆରମ୍ଭ କରିଥିଲେ। ତାଙ୍କର ଏହି କାର୍ଯ୍ୟକଳାପ ଧରାପଡ଼ିବାର ଆଶଙ୍କା ବଢ଼ିବା ପରେ ସେ ଜୁଲାଇ ୨୦୨୪ରେ ରୁଷ୍‌ ସେନା ଶିବିର ଛାଡ଼ି ୟୁକ୍ରେନ୍‌ ନିୟନ୍ତ୍ରଣରେ ଥିବା ଅଞ୍ଚଳକୁ ପଳାଇଥିଲେ।

ଏବେ ପୁଟିନ୍‌ ସରକାର ବିରୋଧୀ ଦଳରେ

ୟୁକ୍ରେନ୍‌ରେ ପହଞ୍ଚିବା ପରେ ଷ୍ଟୁପ୍‌ନିକୋଭ୍‌ ରୁଷୀୟ ସ୍ୱେଚ୍ଛାସେବୀ କର୍ପସ୍‌ (RVC)ରେ ଯୋଗ ଦେଇଥିବା ରିପୋର୍ଟରେ କୁହାଯାଇଛି। ଏହି ସଂଗଠନରେ ରୁଷୀୟ ନାଗରିକମାନେ ରୁଷ୍‌ ସରକାରଙ୍କ ବିରୋଧରେ ଲଢ଼ୁଛନ୍ତି। ଷ୍ଟୁପ୍‌ନିକୋଭ୍‌ ବର୍ତ୍ତମାନ ଏଠାରେ ଯୋଗାଯୋଗ ବିଶେଷଜ୍ଞ ଭାବେ କାମ କରୁଥିବା କୁହାଯାଇଛି।

ନିଜ ଦେଶର ସେନାରୁ ଓହରି ୟୁକ୍ରେନ୍‌କୁ ସହାୟତା କରିବା ତାଙ୍କର ବ୍ୟକ୍ତିଗତ ନୈତିକ ନିଷ୍ପତ୍ତି ବୋଲି ସେ କହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ଏହି ସମସ୍ତ ସାମରିକ ଦାବି ମୁଖ୍ୟତଃ ‘ଦ ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ର ରିପୋର୍ଟ ଉପରେ ଆଧାରିତ।