ଝାରସୁଗୁଡ଼ା: ଜନସାଧାରଣଙ୍କ ଜମି ଅଧିକାରକୁ ଆଇନଗତ ସ୍ୱୀକୃତି ଦେବା ସହ ଜମି ସମ୍ପର୍କିତ ରେକର୍ଡକୁ ସୁବ୍ୟବସ୍ଥିତ କରିବା ଦିଗରେ ରାଜସ୍ୱ ବିଭାଗ କାର୍ଯ୍ୟ କରୁଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ଝାରସୁଗୁଡ଼ା ଜିଲ୍ଲାର କତରବଗା ମୌଜାର ୨୩ ଜଣ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ବା ଅଧିକାର ଅଭିଲେଖ (ଆର୍‌ଓଆର୍‌) ବଣ୍ଟନ ଅବସରରେ ମନ୍ତ୍ରୀ ଏହି ମତ ଦେଇଛନ୍ତି। ଏଥିସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ୨୧ଟି ବିଦ୍ୟାଳୟର ଜମି ପଟ୍ଟା ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ହସ୍ତାନ୍ତର କରାଯାଇଛି।

ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ

ଝାରସୁଗୁଡ଼ା ଜିଲ୍ଲା ଗସ୍ତ ସମୟରେ ମନ୍ତ୍ରୀ ସୁରେଶ ପୂଜାରୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଲଖନପୁର ବ୍ଲକ୍‌ର ରେମଣ୍ଡା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ବ୍ଲକ୍‌ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ ସହପାଠ୍ୟ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି କରିବାରେ ‘ସୁରଭି’ ଏକ ଉତ୍କୃଷ୍ଟ ମଞ୍ଚ ବୋଲି ମନ୍ତ୍ରୀ କହିଥିଲେ।

ଲଖନପୁରରେ ନୂଆ ଅଟଳ ବସ୍‌ଷ୍ଟାଣ୍ଡ୍‌ର ଶିଳାନ୍ୟାସ

ଲଖନପୁରଠାରେ ଦ୍ୱିତୀୟ ଅଟଳ ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ ପାଇଁ ଆୟୋଜିତ ଶିଳାନ୍ୟାସ ସମାରୋହରେ ମନ୍ତ୍ରୀ ଯୋଗଦେଇଥିଲେ। ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଗମ କରିବା ସହ ଲୋକଙ୍କୁ ଉନ୍ନତ ଯାତାୟାତ ସୁବିଧା ଯୋଗାଇବ ବୋଲି ସେ କହିଥିଲେ।

ଏହା ସହ ବେଲପାହାଡ଼ଠାରେ ନବନିର୍ମିତ ଅଟଳ ବସ୍‌ଷ୍ଟାଣ୍ଡ୍‌ର ଉଦ୍‌ଘାଟନ କରିବା ସହ ସେଠାରୁ ବସ୍‌ ଚଳାଚଳର ଶୁଭାରମ୍ଭ କରିଥିଲେ। ରାଜପୁରଠାରେ ୩୦ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ଉଦ୍‌ଘାଟନ କରିଥିଲେ।

ଜନସାଧାରଣଙ୍କୁ ଉନ୍ନତ ଭିତ୍ତିଭୂମି, ସୁଗମ ପରିବହନ ଓ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ସରକାରୀ ଜମି ରେକର୍ଡରେ ସ୍ୱଚ୍ଛତା ଓ ସ୍ପଷ୍ଟତା ଆଣିବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।