ଜୟପୁର: ଓଡ଼ିଶାର କୋରାପୁଟ ଜିଲ୍ଲାରେ ଭାରତମାଳା ପରିଯୋଜନା ଅଧୀନରେ ନିର୍ମିତ ‘ଶବର ଶ୍ରୀକ୍ଷେତ୍ର ଟନେଲ୍’ ଆଜି ଆଧୁନିକ ଭିତ୍ତିଭୂମି ବିକାଶ ଏବଂ ଆଞ୍ଚଳିକ ଜନଜାତୀୟ କଳା-ସଂସ୍କୃତିର ଏକ ଅନନ୍ୟ ନମୁନା ସାଜିଛି। ଏହି ସୁଡ଼ଙ୍ଗ କେବଳ ଗମନାଗମନକୁ ସହଜ କରିନାହିଁ, ବରଂ ନିଜର ସ୍ୱତନ୍ତ୍ର ନାମକରଣ, ମୁଖଦ୍ୱାରର ପାରମ୍ପରିକ କଳା-ଧଳା ଚିତ୍ରକଳା ଏବଂ ଭିତର ଭିତ୍ତିଚିତ୍ର ମାଧ୍ୟମରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

ଏହି ସୁଡ଼ଙ୍ଗର କାନ୍ଥରେ ଅଙ୍କିତ ଚିତ୍ରକଳାଗୁଡ଼ିକ କୋରାପୁଟର ଆଦିବାସୀ ଐତିହ୍ୟ, କୋରାପୁଟିଆ ପରମ୍ପରା ଏବଂ ଶବର ସମ୍ପ୍ରଦାୟ ସହ ଜଗନ୍ନାଥ ସଂସ୍କୃତିର ଗଭୀର ଆଧ୍ୟାତ୍ମିକ ସମ୍ପର୍କକୁ ଅତ୍ୟନ୍ତ ସୁନ୍ଦର ଭାବେ ପ୍ରଦର୍ଶିତ କରୁଛି। ‘ଶବର ଶ୍ରୀକ୍ଷେତ୍ର’ ନାମକରଣ କୋରାପୁଟର ଜନଜାତୀୟ ଅସ୍ମିତା ଓ ଜଗନ୍ନାଥ ସଂସ୍କୃତିର ଅବିଚ୍ଛେଦ୍ୟ ବନ୍ଧନକୁ ପ୍ରତିଫଳିତ କରୁଛି।

ଏହି ଟନେଲ୍‌ରେ ଆଧୁନିକ ଆଲୋକୀକରଣ, ଟ୍ରାଫିକ୍ ସୁରକ୍ଷା ସଙ୍କେତ ଏବଂ ଉନ୍ନତମାନର ରାସ୍ତା ନିର୍ମାଣ କରାଯାଇଛି। ଆଧୁନିକ ନିର୍ମାଣ ଶୈଳୀ ସହ ସ୍ଥାନୀୟ କଳା ଓ ସଂସ୍କୃତିର ଏହି ମିଶ୍ରଣ ଭିତ୍ତିଭୂମି ପ୍ରକଳ୍ପକୁ କେବଳ କାର୍ଯ୍ୟକ୍ଷମ ନକରି ଆକର୍ଷଣୀୟ ମଧ୍ୟ କରିପାରିଛି।

ନିକଟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରତିନିଧି ଦଳ ଏହି ସୁଡ଼ଙ୍ଗ ପରିଦର୍ଶନ କରି ଏହାର ନିର୍ମାଣ ଶୈଳୀ ଏବଂ ସାଂସ୍କୃତିକ ଆଲେଖ୍ୟକୁ ବେଶ୍ ପ୍ରଶଂସା କରିଥିଲେ। ଏହି ଟନେଲ୍ ଯାତ୍ରୀମାନଙ୍କ ପାଇଁ ଯାତାୟାତକୁ ଅଧିକ ମନୋରମ ଓ ଆନନ୍ଦଦାୟକ କରିବା ସହ କୋରାପୁଟର ଗୌରବମୟ ସାଂସ୍କୃତିକ ଐତିହ୍ୟର ଏକ ଶ୍ରେଷ୍ଠ ପ୍ରତୀକ ଭାବେ ଛିଡ଼ା ହୋଇଛି।